Categories: ଜାତୀୟ

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ସ୍ଥାନ ନାହିଁ

ନୂଆଦିଲ୍ଲୀ,୨୩ା୧(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ଦିଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଥିବାବେଳେ ନୂଆଦିଲ୍ଲୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା କିମ୍ବା ହସ୍ତକ୍ଷେପର ସ୍ଥାନ ନାହିଁ ବୋଲି ଭାରତ ପକ୍ଷରୁ ବୁଧବାର ସ୍ପଷ୍ଟ କରିଦିଆଯାଇଛି। ଡାଭୋସଠାରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ଟ୍ରମ୍ପ୍‌ କହିଥିଲେ, କଶ୍ମୀର ସ୍ଥିତି ଉପରେ ଆମେରିକା ନଜର ରଖିଛି। ଏହି ବିବାଦର ସମାଧାନ ପାଇଁ ସେ ସହାୟତା କରିବାକୁ ଚାହାନ୍ତି ବୋଲି ପୁଣି ଥରେ ଦୋହରାଇଥିଲେ। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଗତ ୫ ମାସ ମଧ୍ୟରେ ଏହା ଟ୍ରମ୍ପ୍‌ଙ୍କର ଚତୁର୍ଥ ପ୍ରସ୍ତାବ। କଶ୍ମୀର ପ୍ରସଙ୍ଗରେ ଯଦି ଆମ ଦ୍ୱାରା କିଛି ସହାୟତା କରାଯାଇପାରେ ତେବେ ଆମେ ନିଶ୍ଚିତ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ କହିଥିଲେ।
ସୂଚନାଯୋଗ୍ୟ ୩୭୦ ଉଚ୍ଛେଦ ପରେ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକୀକରଣ କରିବା ଏବଂ ଏଥିରେ ଅନ୍ୟ ରାଷ୍ଟ୍ରର ହସ୍ତକ୍ଷେପ ପାଇଁ ପାକିସ୍ତାନ ୫ ମାସ ହେଲା ଉଦ୍ୟମ ଜାରି ରଖିଛି। ତେବେ ଗୋଟିଏ ଦୁଇଟି ରାଷ୍ଟ୍ରକୁ ଛାଡ଼ିଦେଲେ କେହି ଇସ୍‌ଲାମାବାଦକୁ ସମର୍ଥନ ଦେଇନାହାନ୍ତି। କଶ୍ମୀରରୁ ୩୭୦ ଉଚ୍ଛେଦ ଓ ଏହାର ବିଭାଜନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଅଧିକାଂଶ ଦେଶ ମତ ଦେଇଛନ୍ତି। ବିଭିନ୍ନ ଫୋରମ୍‌ରେ ବିଫଳ ହେବା ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ବାରମ୍ବାର ଆମେରିକାର ଶରଣ ନେଉଛନ୍ତି। ତେବେ କଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ। ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ ବୋଲି ନୂଆଦିଲ୍ଲୀ ବାରମ୍ବାର କହିଆସୁଛି। ଆସନ୍ତା ମାସରେ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ତାଙ୍କର ମଧ୍ୟସ୍ଥତା ପ୍ରସ୍ତାବକୁ ନୂଆଦିଲ୍ଲୀ ବିରୋଧ କରିବା ସହ ନିଜର ପ୍ରତିକ୍ରିୟା ଜଣାଇଦେଇଛି।

Share