କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ: ବିଫଳତା ସ୍ବୀକାର କଲେ ଇମ୍ରାନ୍‌

ନ୍ୟୁୟର୍କ,୨୬ା୯: କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକୀକରଣ କରାଇବାରେ ପାକିସ୍ତାନ ବିଫଳ ହୋଇଥିବା ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ପାଖରେ ସେ ଦୁଃଖିତ ବୋଲି ଇମ୍ରାନ୍‌ କହିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଲାଗି ଭାରତର ନିଷ୍ପତ୍ତିକୁ ଅଧିକାଂଶ ଦେଶ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଉଦ୍ୟମ କରି ପାକିସ୍ତାନ ବିଭିନ୍ନ ଫୋରମ୍‌ରେ ଅପଦସ୍ଥ ହୋଇଛି।
କଶ୍ମୀର ପ୍ରସଙ୍ଗରେ ଇମ୍ରାନ୍‌ କହିଛନ୍ତି, କଟକଣା ହଟାଇବା ପାଇଁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ପକାଯାଇନାହିଁ। ସେଠାରେ ୯ ଲକ୍ଷ ଯବାନ କ’ଣ କରୁଛନ୍ତି ବୋଲି ଇମ୍ରାନ ପ୍ରଶ୍ନ କରିବା ସହ କର୍ଫ୍ୟୁ ଉଠିଲେ ସେଠାରେ ପରିସ୍ଥିତି କ’ଣ ହେବ ତାହା ଆଲ୍ଲା ଜାଣନ୍ତି ବୋଲି ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେଠାରେ ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଏବଂ ଜାତିସଂଘରେ ପାକିସ୍ତାନ ପ୍ରତିନିଧି ମଲିହା ଲୋଧି ଉପସ୍ଥିତ ଥିଲେ।
କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅଭିଯୋଗକୁ ଅଣଦେଖା କରାଯିବାର କାରଣ ଭାରତର ଆର୍ଥିକ ସ୍ଥିତି ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରାଧାନ୍ୟ ବୋଲି ଇମ୍ରାନ୍‌ ସ୍ବୀକାର କରିଛନ୍ତି। ଲୋକେ ଭାରତର ୧୨୦ କୋଟି ଜନସଂଖ୍ୟାବିଶିଷ୍ଟ ବଜାରକୁ ଦେଖୁଛନ୍ତି ବୋଲି ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।

‘ଟେରୋରିସ୍ତାନ’ ସହ ହେବ ନାହିଁ ଆଲୋଚନା

ପାକିସ୍ତାନ ସହ ଆଲୋଚନା କରିବାରେ କିଛି ସମସ୍ୟା ନାହିଁ, କିନ୍ତୁ ଟେରୋରିସ୍ତାନ (ଆତଙ୍କବାଦର ପୃଷ୍ଠପୋଷକ) ସହ ଆଲୋଚନା ସମ୍ଭବ ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। କଶ୍ମୀର ପ୍ରସଙ୍ଗକୁ ନେଇ ଇସ୍‌ଲାମାବାଦ ଆତଙ୍କବାଦର କାରଖାନା ବସାଇଥିବା ସେ ଏସିଆ ସୋସାଇଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ଏବଂ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଲାଗି ଭାରତ ନିଷ୍ପତ୍ତି ନେବା ପରେ ପାକିସ୍ତାନ ଓ ଚାଇନା ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଇସ୍‌ଲାମାବାଦ ନୂଆଦିଲ୍ଲୀ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଥିଲା। ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ପଡୋଶୀ ରାଷ୍ଟ୍ରଙ୍କର କୌଣସି ସମ୍ପର୍କ ନାହିଁ, ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଜୟଶଙ୍କର କହିଥିଲେ।

Share