Advertisement

କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍‌ ବିଫଳ

ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ କି ଏଥିରେ ସୁଧାର ଅଣାଯିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଜାତିସଂଘ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ରିପୋର୍ଟ ପୁରୁଣା ଓ ମନଗଢ଼ା ବୋଲି କହିଛି। ପାକିସ୍ତାନ ପଟୁ ହେଉଥିବା ସୀମାପାର ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗକୁ ଅଣଦେଖା କରାଯାଉଥିବା ଭାରତ ଅଭିଯୋଗ କରିଛି।
ଗତବର୍ଷ ମାନବାଧିକାର ନେଇ ଜାତିସଂଘ ହାଇକମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଶ୍ମୀର ଉପରେ ପ୍ରଥମ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏଥିରେ ଭାରତ ଓ ପାକିସ୍ତାନ ଦୀର୍ଘଦିନର ସମସ୍ୟା ସୁଧାରିବା ଲାଗି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଥିଲା। ୨୦୧୮ ମେ’ରୁ ୨୦୧୯ ମେ ମଧ୍ୟରେ କଶ୍ମୀର ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଦଶନ୍ଧିର ସର୍ବାଧିକ ଲୋକ ମୃତାହତ ହୋଇଥିବା ଜାତିସଂଘ ମାନବାଧିକାର ରିପୋର୍ଟରେ ଦର୍ଶାଯାଇଥିଲା। ଏବେ ଭାରତ ଓ ପାକିସ୍ତାନ ଏନେଇ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରି ନ ଥିବା ଜାତିସଂଘର ନୂଆ ରିପୋର୍ଟରେ ଦର୍ଶାଯାଇଛି। କଶ୍ମୀରରେ ଭାରତୀୟ ସୁରକ୍ଷା କର୍ମୀ କରୁଥିବା ବିଭିନ୍ନ ଉଲ୍ଲଂଘନ କାର୍ଯ୍ୟ ଲାଗି ଉତ୍ତରଦାୟୀ ରହୁ ନ ଥିବା ରିପୋର୍ଟରେ କୁହାଯାଇଛି।
ଜାତିସଂଘର ସଦ୍ୟ ପ୍ରକାଶିତ ରିପୋର୍ଟକୁ ଭାରତ ସମାଲୋଚନା କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତିି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାର ନେଇ ଜାତିସଂଘ ହାଇକମିଶନରଙ୍କ ନୂଆ ରିପୋର୍ଟ ହେଉଛି ପୂର୍ବର ମିଛ ଓ ମନଗଢ଼ା କାହାଣୀ। ଏଥିରେ କିଛି ସତ୍ୟତା ନାହିଁ। ପାକିସ୍ତାନ ପଟୁ ହେଉଥିବା ସୀମାପାର୍‌ ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗକୁ ଅଣଦେଖା କରାଯାଇଛି। ଏହି ରିପୋର୍ଟ ଭାରତର ସାର୍ବଭୌମତ୍ୱ ଓ ପ୍ରାଦେଶିକ ସଂହତିକୁ ଉଲ୍ଲଂଘନ କରୁଛି। ପାକିସ୍ତାନ ପଟୁ ଦୀର୍ଘବର୍ଷ ହେବ ସୀମାପାର ଆତଙ୍କବାଦୀ ଆକ୍ରମଣ ଜାରି ରହିଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନ ମଧ୍ୟରେ ଏକ କୃତ୍ରିମ ସମତା ରକ୍ଷା ଲାଗି ରିପୋର୍ଟରେ ପ୍ରୟାସ କରାଯାଇଥିବା ଭାରତ କହିଛି।

Share