Categories: ପୁରୀ

କହ୍ନେଇପୁରରେ ଉଗ୍ର ଗୋଷ୍ଠୀକନ୍ଦଳ: ବୋମାମାଡ଼ରେ ୧୧ ଆହତ

କୃଷ୍ଣପ୍ରସାଦ,୯ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁ’ରେ ୨ ପକ୍ଷରୁ ଗୋଷ୍ଠୀ କନ୍ଦଳ ସୋମବାର ଉଗ୍ରରୂପ ଧାରଣ କରି ଗଣ୍ଡଗୋଳ ଘଟିଛିି ା ଫଳରେ ଉଭୟ ଗୋଷ୍ଠୀ ଲୋକେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଥାନା ଆଇଆଇସି ପୁରୀ ରଥଯାତ୍ରା ଦାୟିତ୍ୱରେ ରହିଥିବା ଯୋଗୁ ଦାୟିତ୍ୱରେ ଥିବା ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରୁ ପ୍ରକାଶ, ରବିବାର ତଲାରିହୁଡା, ଚିଲିକାରେ ୫୨ ପରିବାରକୁ ନେଇ ଏକ ଗୋଷ୍ଠୀ ମାଛ ଧରିବା ଓ ଚାଷ କରିବା ନିମନ୍ତେ କିଛି ଜମି ଜବରଦଖଲ କରୁଥିବା ନେଇ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ୩୫ ପରିବାରକୁ ନେଇ ଗଠିତ ଅନ୍ୟ ଏକ ଗୋଷ୍ଠୀ ବିପକ୍ଷ ଗୋଷ୍ଠୀର କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିବା ଫଳରେ ଗଣ୍ଡଗୋଳ, ମାରପିଟ ହୋଇଥିଲା ା ଏଥିରେ ସୁଦର୍ଶନ ଦଳେଇ, ନଟବର ଦାସ ଆହତ ହୋଇଥିଲେ ା ରାତିସାରା ଉତ୍ତେଜନା ଲାଗି ରହିଥିଲା ା ତେବେ ଘଟଣା ଦିନ ସକାଳେ ଜଣେ ମହିଳାଙ୍କୁ ପାଣି ନେବାକୁ ମନା କରିବା ଓ ଜଣେ ଯୁବକ ତାଙ୍କ ହାତରୁ ଗରା ଛଡ଼ାଇ ନେଇ ଫିଙ୍ଗି ଦେବା ଘଟଣା ପରେ ପୁଣି ଗଣ୍ଡଗୋଳ ଘଟିଥିବା ଲକ୍ଷ୍ମୀଧର ନାୟକ କହିଛନ୍ତି। ତେବେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିମନ୍ୟୁ ଦଳେଇ କହିଛନ୍ତିି ଯେ, ସେମାନେ ଜମିରୁ ଫେରିବାବେଳେ ରାସ୍ତାରେ ଅଟକାଇ ତାଙ୍କୁ ବିରୋଧୀ ଗୋଷ୍ଠୀର ଲୋକେ ମାର୍‌ପିଟ୍‌ କରିଥିଲେ ା ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ବୋମାମାଡ଼ ହୋଇଥିଲା ା ଗଣ୍ଡଗୋଳରେ ଆହତ ହୋଇଥିବା ଅନିଲ ଦଳେଇ, ଶଙ୍କର ନାୟକ, ପ୍ରଦୀପ ଦାସ , ସୁଦର୍ଶନ ଦଳେଇ, ନଟବର ଦାସ, ମୁରଲୀ ପ୍ରଧାନ, ସତ୍ୟଭାମା ପ୍ରଧାନ, ଭାରତୀ ଦଳେଇ, ବିଶ୍ୱଜିତ ଦଳେଇ, ଅନସୂୟା ପ୍ରଧାନ, ଶିଶିର ଦଳେଇ ପ୍ରମୁଖ ୧୧ ଜଣଙ୍କୁ କୃଷ୍ଣପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର ଓ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଘର ଉପରେ ବୋମା ମାଡ଼ କରିବା ଦ୍ୱାରା ୩୫(ପରିବାର)ଗୋଷ୍ଠୀର ବୁଲୁମହାନ୍ତି, ମଙ୍ଗୁଳି ତରାଇ, କୁବେର ପ୍ରଧାନ, ସନ୍ୟାସୀ ପ୍ରଧାନ, ଧିରେନ୍ଦ୍ର ପ୍ରଧାନ ଏବଂ ଅପରପକ୍ଷ (୫୨ ପରିବାର)ର ସନ୍ୟାସୀ ଦଳେଇ, ଜଗନ୍ନାଥ ଦଳେଇ, ଅଶୋକ ପ୍ରଧାନଙ୍କ ଛାତର ଆଜବେଷ୍ଟସ ଭାଙ୍ଗିଯାଇଛି ା ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ା ଏହାବ୍ୟତୀତ ରାତିରେ ଘର କବାଟ ଭାଙ୍ଗି ୫ଭରି ସୁନା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ବାକ୍ସକୁ କେହି ଚୋରି କରି ନେଇଥିବା ଘର ମାଲିକ ମଙ୍ଗୁଳୁ ତରେଇ ଥାନାରେ ଅଭିଯୋଗ କରିଛନ୍ତି।