କାଇପଦର ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ଭାଇରାଲ: ଜଣେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୧।୧୨: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ବଙ୍ଗିଦାର ଉକ୍ତ ଯୁବକଙ୍କୁ କାଇପଦରର ଦୁଇଜଣ ଯୁବକ ଅପହରଣ କରି ଆଣିବା ପରେ ଗାଁ ଦାଣ୍ଡରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରୁଥିବା ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ତେବେ ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ଭୂୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ କନ୍ତିଆ ପାଲଟାସିଂହ ଫେରାର ଥିବା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇ କହିଛନ୍ତି।

ପ୍ରକାଶଯୋଗ୍ୟ, ଏକ ମାସ ତଳେ ହୋଇଥିବା ଏକ ଘଟଣାରେ ପୂର୍ବ ରାଗ ଶୁଝାଇବାକୁ ଯାଇ ରାଜେନ୍ଦ୍ର ଓ କନ୍ତିଆ ଉକ୍ତ ଯୁବକଙ୍କୁ ଅପହରଣ କରି ଗ୍ରାମକୁ ଆଣିଥିଲେ। ସେଠାରେ ସେମାନେ ଗଛରେ ଯୁବକଙ୍କୁ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଏପରିକି ମାଡ଼ ଖାଇ ବିକଳ ହେବା ପରେ ପାଣି ବଦଳରେ ପରିସ୍ରା କରିଥିଲେ। ଗ୍ରାମ ଦାଣ୍ଡରେ ଏସବୁ ଚାଲିଥିଲେ ହେଁ କେହି ଏହାର ପ୍ରତିବାଦ କରି ନ ଥିଲେ। ଗତ ୧୮ ତାରିଖରେ ହୋଇଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

Share