Categories: ଜାତୀୟ

କାଉଡି ଯାତ୍ରା ସମୟରେ ହେଲିକପ୍ଟରରୁ ଫୁଲ ପକାଇବାର ବ୍ୟବସ୍ଥା କଲେ ଯୋଗୀ ସରକାର

ଲକ୍ଷ୍ନୌ,୪।୭: ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। ଏହି ସମୟରେ କାଉଡି ଯାତ୍ରାରେ ଯାଉଥିବା ଭକ୍ତଙ୍କ ଉପରେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ପକାଇବାର ବ୍ୟବସ୍ଥା କରିବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ଭବନରେ ସରକାରୀ ଅଧିକାରୀ ଓ ପୋଲିସକର୍ମୀଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଯୋଗୀ ଏହି ସୂଚନା ଦେଇଛନ୍ତି। ଯାତ୍ରା ସମୟରେ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଯାତ୍ରାବେଳେ ପ୍ଲାଷ୍ଟିକ ଓ ଥର୍ମୋକୁଲ ବ୍ୟାଗ୍‌ର ବ୍ୟବହାର ନ କରିବାକୁ ଯୋଗୀ ପରାମର୍ଶ ଦେଇଛନ୍ତି। ଏମାନଙ୍କ ଯାତ୍ରା ପଥରେ କୌଣସି ମଦ ଦୋକାନ ଓ କଂସାଇଖାନ ଯେପରି ନ ରୁହେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। କୁମ୍ଭ ମେଳା ଭଳି କାଉଡି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବାକୁ ଯୋଗୀ ଆଦିତ୍ୟନାଥ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୭ରୁ ଏହି କାଉଡି ଯାତ୍ରା ଆରମ୍ଭ ହେବ।

Share