Categories: ଖେଳ

କାଉଣ୍ଟି ଖେଳିବେ ଅଶ୍ୱିନ

ଲଣ୍ଡନ, ୧୬।୧ (ପି.ଟି.)- ସିନିୟର ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ ଖେଳିବେ। ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର ପକ୍ଷରୁ ଖେଳିବେ ବୋଲି କ୍ଲବ ପକ୍ଷରୁ ଗୁରୁବାର କୁହାଯାଇଛି। ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜାଙ୍କ ସହ ୟର୍କଶାୟର ଚୁକ୍ତି ଅବଧି ୨୦୧୯ରେ ଶେଷ ହୋଇଯାଇଛି। ତେଣୁ ଅଶ୍ୱିନ ୟର୍କଶାୟର କ୍ଲବର ପ୍ରମୁଖ ବିଦେଶୀ ସ୍ପିନର ଭାବେ ଖେଳିବେ। ଏହି କାଉଣ୍ଟି କ୍ଲବ ପକ୍ଷରୁ ଅତିକମ୍‌ରେ ସେ ୮ ମ୍ୟାଚ୍‌ ଖେଳିବେ। କିନ୍ତୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କାର୍ଯ୍ୟସୂଚୀ ପରେ ସେ କାଉଣ୍ଟି ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି। ଆଇପିଏଲ୍‌ ପରେ ବିଶ୍ରାମ ପାଇଁ ଅଶ୍ୱିନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଛନ୍ତି। ଏହି ସମୟରେ ସେ କାଉଣ୍ଟି ମ୍ୟାଚ୍‌ ଖେଳିବେ। କ୍ୟାରିୟରରେ ୩ୟଥର ପାଇଁ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ସେ ନଟ୍ଟିଂହାମଶାୟର ଓ ଓ୍ବସେଷ୍ଟରଶାୟର ପକ୍ଷରୁ ମ୍ୟାଚ୍‌ ଖେଳିସାରିଛନ୍ତି। ଏହି ଚେନ୍ନାଇ ଅଫ୍‌-ସ୍ପିନର ଭାରତ ପକ୍ଷରୁ ୭୦ ଟେଷ୍ଟ ମ୍ୟାଚ୍‌ ଖେଳି ୩୬୨ ଉଇକେଟ୍‌ ଅକ୍ତିଆର କରିଛନ୍ତି।

Share