Categories: ଖେଳ

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.)- ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍‌ ହନୁମା ବିହାରୀ ଆଗାମୀ ଗ୍ରୀଷ୍ମ ସିଜନରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳି ସଦୂପଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଧିରେ ଧିରେ ଭାରତୀୟ ଟେଷ୍ଟ ଦଳର ଜଣେ ପ୍ରମୁଖ ସଦସ୍ୟ ବନିବାକୁ ଯାଉଥିବା ୨୬ ବର୍ଷୀୟ ହନୁମା ଏକ ପ୍ରମୁଖ କାଉଣ୍ଟି ଦଳ ସହ ତାଙ୍କ ଦକ୍ଷତା ପରଖିବାକୁ ଚାହୁଁଛନ୍ତି। ତେବେ ତାଙ୍କର ଏହି ଲକ୍ଷ୍ୟପଥରେ କରୋନା ଭାଇରସ୍‌ ବାଧା ସୃଷ୍ଟି କରିଛି। ଆଗାମୀ ଦିନରେ ଯେତେବେଳେ ଏହି ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ଏବଂ ଗସ୍ତରେ ଲାଗିଥିବା ପ୍ରତିବନ୍ଧକ କୋହଳ ହୋଇଯିବ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ହନୁମା ଏକ ସାକ୍ଷାତକାରରେ କହିଛନ୍ତି। ‘ଚଳିତ ସିଜନରେ ମୋତେ ୪ଟି କାଉଣ୍ଟି ମ୍ୟାଚ୍‌ ଖେଳିବାର ଥିଲା। ଯେତେବେଳେ ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ ସେତେବେଳେ କାଉଣ୍ଟି ଟିମ୍‌ର ନାମ ପ୍ରକାଶ କରିବି। କରୋନା ଭାଇରସ୍‌ ଲାଗି ବର୍ତ୍ତମାନ ଏହାକୁ ରୋକାଯାଇଛି। କିନ୍ତୁ ଆଶାବାଦୀ ରହିଛି ଯେତେବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବ ଏହି ସବୁ ମ୍ୟାଚ୍‌ ଖେଳିପାରିବି। ଏଥିରେ ମୋତେ ବହୁତ କିଛି ଶିଖିବାକୁ ମିଳିବ’ ବୋଲି ଆନ୍ଧ୍ରପ୍ରଦେଶର ଏହି ଅଲ୍‌ରାଉଣ୍ଡର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକିଛି ବର୍ଷ ହେବ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟପ୍‌ କ୍ରିକେଟର୍‌ ଯେଉଁମାନେ କି ଆଇପିଏଲ୍‌ ଖେଳୁ ନ ଥିବେ ସେମାନଙ୍କୁ ସମର ସିଜନରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଅନୁମତି ପ୍ରଦାନ କରୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟା ରାହାନେଙ୍କ ପରି ଟେଷ୍ଟ ସ୍ପେଶାଲିଷ୍ଟଙ୍କୁ କାଉଣ୍ଟି ଖେଳିବାକୁ ଅନୁମତି ଦେଇଥିଲା। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦkାର୍ପଣ କରିଥିବା ହନୁମା ୯ ଟେଷ୍ଟ ମ୍ୟାଚ୍‌ରୁ ୫୫୨ ରନ୍‌ ସଂଗ୍ରହ କରିଛନ୍ତି। ସଂଯୋଗକ୍ରମେ ଏହି ସମସ୍ତ ମ୍ୟାଚ୍‌ ସେ ବିଦେଶରେ ଖେଳିଛନ୍ତି।

Share