Advertisement
Categories: ଖେଳ

କାଉଣ୍ଟି ପଦାର୍ପଣରେ ରାହାନେଙ୍କ ଶତକ

ନ୍ୟୁପୋର୍ଟ, ୨୩।୫(ପି.ଟି.)- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାରଭାବେ କାଉଣ୍ଟି କ୍ରିକେଟରେ ପଦାର୍ପଣ କରିଛନ୍ତି। ହାମ୍ପଶାୟାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାହାନେ ନିଜ ପ୍ରଥମ ମ୍ୟାଚରେ ନଟିଂହାମଶାୟାର ବିପକ୍ଷରେ ଶତକ ହାସଲ କରିଛନ୍ତି। ଭାରତର ତୃତୀୟ ବ୍ୟାଟ୍ସମ୍ୟାନଭାବେ ରାହାନେ କାଉଣ୍ଟି କ୍ରିକେଟ ପଦାର୍ପଣରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ପୀୟୂଷ ଚାଓ୍ବଲା ସସେକ୍ସ ପକ୍ଷରୁ ଖେଳି ଓ୍ବର୍ସେଷ୍ଟରଶାୟାର ବିପକ୍ଷରେ ଏବଂ ମୁରଲୀ ବିଜୟ ଇସେକ୍ସ ପକ୍ଷରୁ ଖେଳି ନଟିଂହାମଶାୟାର ବିପକ୍ଷରେ ଏହି ସଫଳତା ପାଇଥିଲେ। ନଟିଂହାମଶାୟାର ବିପକ୍ଷ ଡିଭିଜନ-୧ ଗେମ୍‌ରେ ହାମ୍ପଶାୟାର ପକ୍ଷରୁ ପ୍ରଥମ ଇନିଂସରେ ମାତ୍ର ୧୦ ରନ କରିଥିବା ରାହାନେ ଦ୍ୱିତୀୟ ଇନିଂସରେ ୨୬୦ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୧୧୯ ରନର ଇନିଂସ ଖେଳିଥିଲେ। ଏହା ମଧ୍ୟରେ ସେ ୧୪ ଚୌକା ମାରିଥିଲେ। ତୃତୀୟ ଉଇକେଟ ଭାଗୀଦାରିରେ ସେ ସାମ୍‌ ନର୍ଥଇଷ୍ଟଙ୍କ ବିପକ୍ଷରେ ୨୫୭ ରନର ଭାଗୀଦାରି ଗଢ଼ିଥିଲେ। ଇନିଂସର ୫ମ ଓଭରରେ ୩ ନମ୍ବର ବ୍ୟାଟ୍ସମ୍ୟାନଭାବେ କ୍ରିଜକୁ ଆସିଥିବା ରାହାନେ ୭୦ତମ ଓଭରରେ ଅଫ୍‌-ସ୍ପିନର ମାଥ୍ୟୁ କାର୍ଟଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଏଠାରେ ସେ କ୍ୟାରିୟରର ୩୦ତମ ଶତକ ଅର୍ଜନ କରିଥିଲେ। ରାହାନେଙ୍କ ବ୍ୟତୀତ କାଉଣ୍ଟି କ୍ରିକେଟର ଡିଭିଜନ-୧ରେ ଭାରତର ଚେତେଶ୍ୱର ପୂଜାରା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ଯଥାକ୍ରମେ ୟର୍କଶାୟାର ଓ ନଟିଂହାମଶାୟାର ପକ୍ଷରୁ ଖେଳୁଛନ୍ତି। ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨ଟି ଟେଷ୍ଟ ଖେଳିବ। ତେଣୁ ଟେଷ୍ଟ ସ୍ପେଶାଲିଷ୍ଟ ଖେଳାଳିମାନେ ଅଧିକରୁ ଅଧିକ ମ୍ୟାଚ ଖେଳି ଅଭ୍ୟାସ ଜାରି ରଖନ୍ତୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାହୁଁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel