କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୯ ଅଭିଯୁକ୍ତଙ୍କୁ ଏଡିଜେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ଟିକରପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ କାଉ ଗାଁରେ ଦୀର୍ଘଦିନ ଧରି ଆତଙ୍କରାଜ ଚଳାଇଥିଲେ। ଝିଅବୋହୂଙ୍କ ଉପରେ ଅତ୍ୟାଚାର କରୁଥିଲେ। ଏଣୁ ଗତ ୨୦୧୩ ଅକ୍ଟୋବର ୧୦ ତାରିଖରେ କାଉଙ୍କୁ କିଛି ଯୁବକ ଘରୁ ଟାଣିଆଣି ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଗାଁ ଶେଷ ମୁଣ୍ଡରେ ଥିବା ଏକ କେନାଲ ନିକଟରେ ତାଙ୍କ ଦେହରେ କିରୋସିନ ଢାଳି ପୋଡ଼ି ଦେଇଥିଲେ। ଏନେଇ ମୃତ କାଉଙ୍କ ପତ୍ନୀ ଜୟନ୍ତୀ ଦାସ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ. ୧୭୩/୧୩ ରେ ଉକ୍ତ ଗ୍ରାମର ବାବୁ ଦାସ, ଟୁକୁନା ଦାସ, ମହେଶ୍ୱର ଦାସ,ରଞ୍ଜିତ ଦାସ,ସୁବାସ ଦାସ, ଗୌର ଦାସ, ପଞ୍ଚାନନ ଦାସ, ଡ୍ରାଇଭର ଦାସ ଓ ବିଜୟ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ସଦର ଥାନାଧିକାରୀ ଆଦିତ୍ୟ କୁମାର ସେଠୀ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ଏହି ମାମଲାର ବିଚାରଣା ବେଳେ ୧୫ ଜଣ ସାକ୍ଷୀ କୋର୍ଟରେ ବୟାନ ଦେଇଥିଲେ। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜାମିନରେ ଥିବା ଉପରୋକ୍ତ ୯ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଉପଯୁକ୍ତ ପ୍ରମାଣ ଅଭାବରୁ ଏଡିଜେ -୧ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷ ବୋଲି ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ ଓ ବୀରେନ ଚୌଧୁରୀ ମକଦ୍ଦମା ପରିଚାଳନା କରିଥିଲେ।