କାଏମା ପଞ୍ଚାୟତର ବମ୍ଫୁ ଗ୍ରାମ ରାସ୍ତା: ଅସରାଏ ବର୍ଷାରେ ଜମୁଛି ପାଣି

ଧର୍ମଶାଳା,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତର ବମ୍ଫୁ ଗ୍ରାମର ମୁଖ୍ୟ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଦୀର୍ଘଦିନ ଧରି ବର୍ଷା ପାଣି ଜମିରହୁଛି। ଫଳରେ ଗ୍ରାମବାସୀ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍ଥାନୀୟ ତହସିଲ ଓ ବ୍ଲକରେ ଅଭିଯୋଗ କରାଯାଇଛି। କିନ୍ତୁ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି। ଏବେ ବର୍ଷା ଲାଗିରହିବାବେଳେ ରାସ୍ତା ଉପରେ ଦୀର୍ଘଦିନ ହେବ ପାଣି ଜମିବାରୁ ଦୁର୍ଗନ୍ଧ ବାହାରୁଛି। କେତେଜଣଙ୍କ ଘରକୁ ପାଣି ମଧ୍ୟ ପଶିଯାଉଛି। ରାତିରେ ରାସ୍ତାରେ ଲୋକେ ଯିବାକୁ ଭୟ କରୁଛନ୍ତି। ଅପରପକ୍ଷେ ପାଣିରେ ପଶି ଯାତାୟାତ କରିବା ଫଳରେ ଲୋକେ ନାନାଦି ରୋଗର ଶିକାର ହେଉଛନ୍ତି। ଡେଙ୍ଗୁ, ମ୍ୟାଲେରିଆ, ଝାଡା ଓ ବାନ୍ତି ରୋଗ ହେବାର ସମ୍ଭାବନା ମଧ୍ୟ ଦେଖାଦେଉଛି। ରାସ୍ତା ଦେଇ ନଳକୂପରୁ ପାଣି ଆଣିବା ପାଇଁ ମହିଳାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର କିଛି ମୁଷ୍ଟିମେୟ ଲୋକ ଜବର ଦଖଲ କରି ରାସ୍ତା ଉପରକୁ ମାଡ଼ି ଆସିଥିବାରୁ ପାଣି ନିଷ୍କାସନ ହୋଇ ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି। ତହସିଲଦାର ଏଥିପ୍ରତି ଦୃଷ୍ଟିଦେବାକୁ ପାଣ୍ଡବ ନାୟକ, ଦନେଇ ମଳିକ, ମୁକ୍ତିକାନ୍ତ ନାୟକ, ଶରତ ନାୟକ, ଶିବ ମଳିକ, ଧ୍ରୁବ ମଳିକ, ଧୀର ମଳିକ, ସୁର ମଳିକ, ରମେଶ ମଳିକ ଓ କାର୍ତ୍ତିକ ନାୟକ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।