Categories: ମେଟ୍ରୋ

କାକଟପୁର ମଙ୍ଗଳାମନ୍ଦିରରେ ଫାଟ : ଦେବୋତ୍ତର ବିଭାଗର ଅଣଦେଖା

କାକଟପୁର, ୨୨ା୭(ଡି.ଏନ୍‌.ଏ.) : ପୁରୀ ଜିଲା କାକଟପୁରସ୍ଥିତ ମା’ମଙ୍ଗଳାଙ୍କ ମନ୍ଦିରରେ ଫାଟ। ପ୍ରାୟ ପଞ୍ଚଦଶ ଶତାବ୍ଦୀର ଏହି ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିର ଦକ୍ଷିଣ ଦ୍ୱାର ଉପରେ ପଥର ଭାଙ୍ଗି ବିପଜ୍ଜନକ ଅବସ୍ଥାରେ ରହିଛି। ମନ୍ଦିର ଚୁଡ଼ାରେ ଏବଂ ନାଟ ମଣ୍ଡପ ଛାତ ଉପରେ ଗଛ ଉଠିଥିବା ଦେଖିବାକୁ ମିଳୁଛି।
ପୁରୀ ଶ୍ରୀମନ୍ଦିର ସହିତ ଏହି ମଙ୍ଗଳା ମନ୍ଦିରର ନିବିଡ଼ ସମ୍ପର୍କ ରହିଛି। ଦେବୋତ୍ତର ବିଭାଗ ମନ୍ଦିର ହୁଣ୍ଡି, ମନ୍ଦିର ପରିସରରେ ଥିବା ଭୋଗ ଓ ଦୀପ ଦୋକାନ, ପାର୍କିଂ ଫିସ୍‌ ବାବଦକୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଆୟ କରୁଛି। ମାତ୍ର ମନ୍ଦିର ପ୍ରତି ଦେବୋତ୍ତର ବିଭାଗ ଯଥେଷ୍ଟ ଦୃଷ୍ଟି ଦେଉନାହିଁ। ଫଳରେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ମା’ଙ୍କ ସେବକ ତାପସ ଦୀକ୍ଷିତ ଏବେ ବର୍ଷା ରୁତୁ। ମନ୍ଦିରରେ ଉଠିଥିବା ଗଛର ଚେର ବାଟଦେଇ ବର୍ଷାଜଳ ମନ୍ଦିରକୁ ଏବଂ ନାଟ ମଣ୍ଡପ ଛାତକୁ ପ୍ରବେଶ କରି ଏହାକୁ ଦୁର୍ବଳ କରିବାରେ ଲାଗିଛି। କିଛି ବର୍ଷ ପୂର୍ବେ ମନ୍ଦିରରୁ ଏକ ପଥର ଖସିପଡ଼ିଥିବାବେଳେ ଗର୍ଭଗୃହ ମଧ୍ୟରେ ବର୍ଷାଜଳ ଝରୁଥିଲା। ତାହା ସାମାନ୍ୟ ମରାମତି ହୋଇଥିଲା। ପରବର୍ତ୍ତୀ ସମୟରେ ମନ୍ଦିର ରକ୍ଷଣାବେକ୍ଷଣ ପ୍ରତି ଦେବୋତ୍ତର ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ହୋଇଯାଇଛି। ମନ୍ଦିର ପ୍ରତି ବିପଦ ଦେଖାଦେଇଥିବାରୁ ଏହାକୁ ନେଇ ମାତୃଭକ୍ତମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି ତୁରନ୍ତ ମନ୍ଦିରକୁ ଯାଞ୍ଚ ନ କରି ଦେବୋତ୍ତର ବିଭାଗ ଚୁପ୍‌ ବସିଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ବରେଣ୍ୟ କୁମାର ପାଢ଼ୀ। ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ପଟ୍ଟନାୟକଙ୍କୁ ପଚାରିବାରେ ମନ୍ଦିରର ସ୍ଥାୟିତ୍ୱ ପ୍ରତି ବିପଦ ନ ଥିବା ଓ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଦେବୋତ୍ତର କମିଶନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିବା କହିଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଦେବୋତ୍ତର ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share