କାଗଜକଲମରେ ସୀମିତ ବିଜୁ ପକ୍କାଘର: ଇନ୍ଦିରା ଆବାସ ଯୋଜନା ଦିଗହରା

ତେଲକୋଇ, ୨୮।୬(ଡି.ଏନ.ଏ.)- ତେଲକୋଇ ଅଞ୍ଚଳର ଆଦିବାସୀବହୁଳ ଅଞ୍ଚଳରେ ବିଜୁ ପକ୍କାଘର, ଇନ୍ଦିରା ଆବାସ ଯୋଜନା ଦିଗହରା ହୋଇପଡିଛି । ଏହି ଅଞ୍ଚଳରେ ଉକ୍ତ ଯୋଜନା କେବଳ କାଗଜପତ୍ରରେ ସଫଳତା ଲାଭ କରିଥିବା ବେଳେ ଅଧିକାଂଶ ଘର ଅଧାରେ ରହିଛି। ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ୱେ ଉକ୍ତ ଗୃହ ନିର୍ମାଣ ହୋଇନାହିଁ। ବିଭାଗ ପକ୍ଷରୁ ୨୦୧୭-୧୮ ମସିହାରେ ଇନ୍ଦିରା ଆବାସ ଯୋଜନାରେ ୧୩୫୩ ପରିବାରକୁ ଘର ଦିଆଯାଇଥିବା ସତ୍ତ୍ୱେ ଏଥିରେ ବିଜୁ ପକ୍କାଘର ୨୭ ପରିବାରକୁ ଦିଆଯାଇଛି। ସେହିପରି ୨୦୧୮-୧୯ ମସିହାରେ ୧୨୫୯ ପରିବାର ସହିତ ୭୪ ପରିବାରକୁ ବିଜୁ ପକ୍କାଘର ଦିଆଯାଇଛି। ସେହିପରି ଉକ୍ତ ବର୍ଷ ନବନିର୍ମାଣ କୃଷକ ସଂଗଠନକୁ ୨୭୬ ପରିବାରର ଗୃହ ନିର୍ମାଣ ନିର୍ଦ୍ଦେଶ ରହିଛି। ୨୦୧୭ ମସିହାରୁ ଅଦ୍ୟାବଧି ମାତ୍ର ୩୦ ପ୍ରତିଶତ ଗୃହ ନିର୍ମାଣ ଶେଷ ହୋଇଥିବା ବେଳେ ୭୦ ପ୍ରତିଶତ ଅଧା ଅବସ୍ଥାରେ ଥିବା ଜଣାପଡିଛି। ଗୃହ ନିର୍ମାଣ ପାଇଁ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଅର୍ଥ ପୈଠ ବ୍ୟବସ୍ଥା ରହିଛି। ତେବେ ହିତାଧିକାରୀ ଗୃହ ନିର୍ମାଣ କରିପାରୁ ନ ଥିବା ଯୋଗୁ ସ୍ଥାନୀୟ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଯାଇଥାଏ। ହେଲେ ହିତାଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ନ ହୋଇ ହିତାଧିକାରୀ ଅସହାୟ ଅବସ୍ଥାରେ ରହିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନାକୁ ବ୍ଲକ ପ୍ରଶାସନ ତଥା ଯନ୍ତ୍ରୀଙ୍କ ମାଧ୍ୟମରେ କାର୍ଯ୍ୟ ହୋଇଥାଏ। ହିତାଧିକାରୀମାନେ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏପରିସ୍ଥଳେ ଏହି ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର ଆର.କେ. ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ଜିଲା ପ୍ରଶାସନର ନିର୍ଦ୍ଦେଶାନୁଯାୟୀ ତୁରନ୍ତ ଗୃହ କାର୍ଯ୍ୟ ଶେଷ କରିବାକୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Share