କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ : ଅଟକି ରହିଛି ଗାଡ଼ିମୋଟର, ଯାତାୟାତ ବାଧାପ୍ରାପ୍ତ

କାଲିମେଳା,୨୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ବୁଧବାର ରାତିଠାରୁ ବର୍ଷା ଲାଗିରହିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରାୟ ୩ରୁ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରି ସଦରରୁ କାଲିମେଳା ମୋଟୁ ଏବଂ ପଡ଼ିଆ ଅଞ୍ଚଳକୁ ଯାତାୟାତ ବନ୍ଦ ହୋଇପଡ଼ିଛି।

ସେହିଭଳି କନ୍ୟାଶ୍ରମ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ କାଲିମେଳା ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଅଞ୍ଚଳକୁ ଗାଡ଼ିମୋଟର ବନ୍ଦ ରହିଥିବାରୁ ଲୋକମାନେ ପୋଲର ଦୁଇ ପାର୍ଶ୍ୱରେ ଅଟକି ରହିଛନ୍ତି। ବ୍ଲକ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।