Categories: ଗଞ୍ଜାମ

କାଜୁ ଜଙ୍ଗଲକୁ ନେଇ ବିବାଦ: ୫୩ ପରିବାର ଉପ ଜିଲାପାଳଙ୍କ ନିକଟରେ ମାଲିକାନା ଦାବି କଲେ

ଭଞ୍ଜନଗର,୨୪।୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ତହସିଲ ମହୁଲପଲ୍ଲୀ, କରଡ଼ାବଣି, ହରଡ଼ାପଦର, ଚୁଡ଼ାଖାଇ ମୌଜାରେ ଥିବା କିଛି କାଜୁଜଙ୍ଗଲ ମାଲିକାନାକୁ ନେଇ ବିବାଦ ଦେଖାଦେଇଛି। କାଜୁ ଚାଷ କରୁଥିବା ଦଳିତ ଆଦିବାସୀ ପରିବାର ମଙ୍ଗଳବାର ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିବା ସହ ଉକ୍ତ ଜମି ତାଙ୍କର ବୋଲି ଦାବି କରିଛନ୍ତି। ଉପ ଜିଲାପାଳ ଅଭିଯୋଗ ପତ୍ର ଗ୍ରହଣ କରି ଘଟଣାର ତଦନ୍ତ କରି ଆଇନ ଅନୁଯାଇ ପଦକ୍ଷେପ ନେବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯେ, ସମ୍ପୃକ୍ତ ଅଞ୍ଚଳର ୫୩ରୁ ଉର୍ଦ୍ଧ୍ୱ ପରିବାର ୧୯୭୭ ମସିହାରେ ସିଲିଙ୍ଗ ସମୟରେ ପାଇଥିବା ଜମିରେ ପ୍ରାୟ ୪୨ ବର୍ଷ ହେବ କାଜୁ, ଆମ୍ବ ଫସଲ ଚାଷ କରୁଛନ୍ତି। କିନ୍ତୁ ଇତିମଧ୍ୟରେ ସିଲିଙ୍ଗ ପୂର୍ବରୁ ମାଲିକାନା ଥିବା ଜଣେ ବ୍ୟକ୍ତି ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କୁ ଉକ୍ତ କାଜୁ ଜଙ୍ଗଲଗୁଡିକୁ ବିକ୍ରି କରି ଦେଇଛନ୍ତି। କାଜୁ ଜଙ୍ଗଲ କିଣିଥିବା ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ଗଛ କାଟି ସେଠାରେ ଅନ୍ୟକିଛି ଚାଷ ପାଇଁ ଯୋଜନା ଚଳାଇଛନ୍ତି। ଅପରପକ୍ଷେ ଦୀର୍ଘବର୍ଷ ଧରି କାଜୁ ଜଙ୍ଗଲ ଥିବା ଦଳିତ ଆଦିବାସୀ ଲୋକେ ମାଲିକାନା ଦାବି କରୁଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି। ଅଭିଯୋଗପତ୍ର ଦେବାକୁ ଆସିଥିବା କରଡ଼ାବଣିର ଜଣେ ବ୍ୟକ୍ତି ଏଠାରେ କହିଛନ୍ତି ଯେ, ଆମ ପୂର୍ବପୁରୁଷ ସିଲିଙ୍ଗ ସମୟରେ କିଛି ଜମି ମାଲିକାନା ପାଇଥିଲେ। ପରେ ସେଠାରେ କାଜୁ ବଗିଚା କରି ଚଳୁଥିଲୁ। ବର୍ତ୍ତମାନ କିଭଳି ଉକ୍ତ ଜମିର ମାଲିକ ଆନ୍ଧ୍ରର ଜଣେ ବ୍ୟବସାୟୀ ହେଲେ ସେନେଇ ଆମେ ଦ୍ୱନ୍ଦ୍ୱରେ ଅଛୁ। ତେଣୁ ଆମକୁ ନ୍ୟାୟ ପ୍ରଦାନ କରି ତୁରନ୍ତ ସେଠାରେ ଗଛ କଟା ବନ୍ଦ କରିବା ସହ ସିଲିଙ୍ଗ ପଟା ପାଇଥିବା ପରିବାର ଗୁଡ଼ିକୁ ଜମି ଓ ପଟ୍ଟା ଯୋଗାଇ ଦିଆଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରିବୁ ବୋଲି ସନ୍ୟାସି ନାଇକ, ମିଥୁନ ନାଇକ, ତ୍ରିନାଥ ନାଇକ. ରାଜେନ୍ଦ୍ର ନାଇକ, ବାଳକ ନାଇକ, ଯୁଧିଷ୍ଟିର ନାଇକ, ରେଣୁ ନାଇକ, ଭାଗ୍ୟ ନାଇକ ପ୍ରମୁଖ କହିଛନ୍ତି।