କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଡଧୁଆ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଘନ ସୋରେନ(୬୫)ଙ୍କ ମୃତଦେହ ଉଦ୍ଧାର ଘଟଣାର ଚୌଦ୍ୱାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଘନଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଗ୍ରାମର ଘନ ଚମ୍ପିଆ। ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୨ତାରିଖରେ ଘନ ସୋରେନ ସମଟିକିରା ଗ୍ରାମରେ ଜଣେ ସମ୍ପର୍କୀୟାଙ୍କ ଘରକୁ ଯାଇଥିଲେ। ସେ ଘରକୁ ନ ଫେରିବାରୁ ତାଙ୍କ ପୁଅ ଭଜଗ ସୋରେନ ୧୩ତାରିଖରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ୧୪ତାରିଖ ସକାଳେ ଘନ ସୋରେନଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖି ଜଣେ ଗୋରୁ ଜଗୁଆଳି ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସମ୍ପର୍କରେ ପୋଲିସ ଏକ ମାମଲା(ନଂ. ୩୯୨/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତରୁ ଉକ୍ତ ଗ୍ରାମର ଘନ ଚମ୍ପିଆ ହତ୍ୟା କରିଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଘନଙ୍କ ବୟାନ ଅନୁଯାୟୀ, ମୃତ ଘନ ସୋରେନ୍‌ ଗ୍ରାମରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର କରୁଥିଲେ। ଏଥିପାଇଁ ଲୋକେ ତାଙ୍କ ପାଖକୁ ଆସୁଥିଲେ। ତାଙ୍କ ସ୍ତ୍ରୀ ଦୀର୍ଘଦିନ ଧରି ରୋଗାକ୍ରାନ୍ତ ହୋଇଥିବାରୁ ସେ ଅନ୍ୟ ଏକ ଗ୍ରାମରୁ ଜଣେ ଗୁଣିଆଙ୍କୁ ଡାକି ତାଙ୍କ ସ୍ତ୍ରୀର ଝଡ଼ାଫୁଙ୍କା କରାଉଥିଲେ। ହେଲେ ତାଙ୍କ ସ୍ତ୍ରୀ ଭଲ ହେବା ପରିବର୍ତ୍ତ ରୋଗ ଅଧିକ ବଢ଼ିବାରେ ଲାଗିଲା। ସେ ବାହାରୁ ଗୁଣିଆ ଡକାଇ ଥିବାରୁ ଘନ ସୋରେନ ପ୍ରତିଶୋଧ ପରାୟଣ ହୋଇ ପାଲଟା ଗୁଣି କାରିଥିବାରୁ ତାଙ୍କ ସ୍ତ୍ରୀର ରୋଗ ବଢୁଛି ବୋଲି ସନ୍ଦେହ କରିଥିଲେ। ୧୨ତାରିଖ ରାତିରେ ସୋରେନ୍‌ ସମ୍ପର୍କୀୟଙ୍କ ଘରୁ ଫେରୁଥିବାବେଳେ ରାସ୍ତାରେ ଏକୁଟିଆ ପାଇ ସେ ଏକ ଶାବଳରେ ତାଙ୍କୁ ହତ୍ୟା କରିବା ସହିତ ମୃତଦେହକୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଘନ ଚମ୍ପିଆ ପୋଲିସ ଆଗରେ ସ୍ବୀକାର କରିଥିଲେ।

Share