Categories: ଫୁରସତ

କାଞ୍ଜିଅଁଳା ନବମୀ: ଶାଶୁ, ବୋହୂଙ୍କୁ ପ୍ରଣାମ କରିବାର ପରମ୍ପରା

ଓଡିଆ ଘରେ ରହିଛି ବାର ମାସରେ ତେର ପର୍ବ। ସେମିତି ଏକ ପର୍ବ ହେଉଛି କାଞ୍ଚିଅଁଳା ନବମୀ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହା ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ପ୍ରଥମାଷ୍ଟମୀ ପରଦିନ ଏହି କାଞ୍ଜିଅଁଳା ନବମୀ ପାଳନ କରାଯାଇଥାଏ। ଏହିଦିନ ଓଡିଆଣୀ କାଞ୍ଜି ପ୍ରସ୍ତୁତ କରିଥାଏ। ପୂଜାର ନିୟମ ଅନୁଯାୟୀ, ଏହିଦିନ ଶୁଖୁଆକୁ ବୋହୂ ବେଶରେ ସଜାଇ ଦିଆଯାଏ। ହଳଦିଆ କପଡାର ପାଟ ସହ ସିନ୍ଦୁର କଳା ଲଗାଇ ଶୁଖୁଆକୁ ପୂଜା କରାଯିବା ସହ କାଞ୍ଜି ଭୋଗ କରାଯାଏ। କେତେକ ସ୍ଥାନରେ କାଞ୍ଜି ସହ ଏଣ୍ଡୁରି ପିଠା ମଧ୍ୟ ଭୋଗ କରାଯାଇଥାଲ। ପୂଜା ସରିବା ପରେ ଶୁଖୁଆ ବୋହୂକୁ ପ୍ରଣାମ କରିଥାନ୍ତି ଘରର ମହିଳା। ସେଥିପାଇଁ କୁହାଯାଏ ଏହିଦିନ ଶାଶୁ ବୋହୂକୁ ପ୍ରଣାମ କରିଥାଆନ୍ତି। ଲୋକକଥା ଅନୁଯାୟୀ, ପୂର୍ବକାଳରେ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ସଂଖ୍ୟା ଅଧିକ ଥିଲା। ତେଣୁ ବୋହୂଟିଏ ଖୋଜି ଆଣିବା କଷ୍ଟକର ଥିବାରୁ ବା ବୋହୂ ଅଭାବ ଥିବାରୁ ଶୁଖୁଆକୁ ବୋହୂ ଭାବେ ଘରକୁ ନିମନ୍ତ୍ରଣ କରାଯାଉଥିଲା। ଆଉ ଏହି ନିମନ୍ତ୍ରଣ ପରେ ଘରେ ଥିବା ଅବିବାହିତ ପୁଅଙ୍କର କୁଆଡେ ଶୀଘ୍ର ବିବାହ ସ୍ଥିର ହୋଇ ଯାଉଥିଲା। ହେଲେ ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। କାରଣ ଶୀତଦିନେ ପେଟ ଗରମ ରହୁଥିବାରୁ କିଛି ଛୋଟ ମୋଟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ କାଞ୍ଜି ଖାଇଲେ ଏହି ସମସ୍ୟା ଠିକ୍‌ ହୋଇଥାଏ। ତା’ସହ ହଳଦୀ ପତ୍ର ପିଠା ମଧ୍ୟ ଶରୀର ପାଇଁ ଉପକାରୀ।

Share