କାଟି ଦେଲେ ଶହ ଶହ ଗଛ: ଅଭିଯୁକ୍ତଙ୍କୁ ଛାଡି ଦେଲା ବନ ବିଭାଗ

ବାମରା, ୨୪।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବନଖଣ୍ଡ ବନାଞ୍ଚଳରେ ପ୍ରତିଦିନ ବେଆଇନ ଭାବରେ ଗଛକଟା ଚାଲିଛି। ଏ ନେଇ ଅଭିଯୋଗ ସତ୍ତ୍ବେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାମରା ବ୍ଲକ ଅନ୍ତର୍ଗତ ସାକୋବାହାଲ ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଲୋଲବିରା ଗ୍ରାମରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ସାକୋବାହାଲ ଲୋଲବିରା ଗ୍ରାମ ଅନ୍ତର୍ଗତ ବାନ୍ଦୁକୁଦର ଓ ମହାବୀର ରିଜର୍ଭ ଜଙ୍ଗଲରୁ କେତେ ଜଣ ବରାବର ଗଛ କାଟି ବ୍ୟବସାୟ କରିଆସୁଛନ୍ତି। ଏ ନେଇ ବନ ସୁରକ୍ଷା ସମିତି ପକ୍ଷରୁ ବନ ବିଭାଗକୁ ଅଭିଯୋଗ କରାଯାଉଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବୁଧବାର ବାନ୍ଧୁକୁଦର ଜଙ୍ଗଲରେ ପ୍ରାୟ ଦେଢ଼ ଶହ ଗଛ କଟାଯାଇଥିବା ନେଇ ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ସାକୋବାହାଲ ବିଟ୍‌ ଫରେଷ୍ଟର ବିଶାଳ ନାୟକ ଘଟଣା ସ୍ଥଳରେ ପହଞ୍ଚତ୍ ଥିଲେ। ଗଛ କାଟିଥିବା ଅଭିଯୋଗରେ ଲୋଲବିରାର ୨ ଜଣ ଓ ଯୋଗୀମୁଣ୍ଡାର ଜଣଙ୍କୁ ଧରିଥିଲେ। ମାତ୍ର ଘଟଣା ସ୍ଥଳରୁ ଜଣେ ଚମ୍ପଟ ମାରିଥିଲେ। ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ବନ ବିଭାଗ ଅଧା ବାଟରୁ ଛାଡି ଦେଇଥିଲା। ଅନ୍ୟ ଜଣଙ୍କୁ ଅଫିସକୁ ନେଇ କିଛି ସମୟ ପରେ ଛାଡି ଦେଇ ଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଏମାନଙ୍କ ଭିତରୁ ଜଣେ ବାନ୍ଧୁକୁଦର ଖୁଖୁଢ଼ୁଡା ଜଙ୍ଗଲରୁ ଡିସେମ୍ବର ମାସରେ ପ୍ରାୟ ଦୁଇ ଶହ ଗଛ କାଟି ଦେଇଥିଲେ। ଏ ନେଇ ବନ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହିପରି ବୁଧବାର ଏମାନଙ୍କ ଭିତରୁ ଜଣେ ସେହି ଜଙ୍ଗଲରୁ ପ୍ରାୟ ଦେଢ଼ ଶହ ଶାଳ ଗଛ କାଟି ଦେଇଥିଲେ। ଅନ୍ୟ ଜଣେ ନିକଟସ୍ଥ ମହାବୀର ରିଜର୍ଭ ଜଙ୍ଗଲରୁ ୪ଟି ବଡ ବଡ ଗଛ କାଟି ଦେଇଥିବା ନେଇ ବନ ସୁରକ୍ଷା ସମିତିର ସଦସ୍ୟମାନେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୁକ୍ତଙ୍କୁ ଫରେଷ୍ଟର ଛାଡି ଦେଇଥିବାରୁ ପୁଣି ବନ ସୁରକ୍ଷା ସମିତି ସଦସ୍ୟମାନେ ଏକ ଅଭିଯୋଗ ପତ୍ର ଗୁରୁବାର ବାମରା ରେଞ୍ଜରଙ୍କୁ ଭେଟି ପ୍ରଦାନ କରିଥିଲେ। ଏ ନେଇ ଫରେଷ୍ଟର ବିଶାଳ ନାୟକଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କ ନାମରେ ଜଙ୍ଗଲ ଜମି ପଟ୍ଟା ରହିଛି। ସେ ତାଙ୍କ ଜମିରେ ଥିବା ଗଛ ଗୁଡିକୁ କାଟିପାରିବେ। ଏଥିରେ କିଛି କହିବାର ନାହିଁ। କିନ୍ତୁ ସେଠାରୁ କଟା ଗଛକୁ ପରିବହନ ସମୟରେ ବନ ବିଭାଗର ଆଇନ ଅନୁସାରେ ଜବତ କରି କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ ବୋଲି କହିଛନ୍ତି । ଅନ୍ୟପଟେ ବିନା ଅନୁମତିରେ କୌଣସି ସ୍ଥଳେ କେହି ବି ଜଙ୍ଗଲ କିମ୍ବା ନିଜ ରେକର୍ଡ ପ୍ଲଟରୁ ଗଛ କାଟି ପାରିବେ ନାହିଁ। ଯଦି ଏପରି ବେଆଇନ କାର୍ଯ୍ୟ ହୋଇଛି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାମରା ରେଞ୍ଜର ରାଜଶ୍ରୀ ତିର୍କୀ କହିଛନ୍ତି। ପ୍ରକାଶଯୋଗ୍ୟ, ବାରମ୍ବାର ଗଛ କଟା ଚାଲିଥିଲେ ସୁଦ୍ଧା ବନବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ରହିଛି। ଫଳରେ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବନ ସୁରକ୍ଷା ସମିତିର ମନୋବଳ କ୍ରମଶଃ ହ୍ରାସ ପାଉଛି। ଏଣୁ କାଠ ମାଫିଆଙ୍କ ସାହସ ଓ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି।

Share