କାଟୁ କଲାନି ପ୍ରଶାସନର କଟକଣା: ଏନ୍‌ଏଚ୍‌ରେ ପୁଣି ଖୋଲିଲା ଗ୍ୟାରେଜ

ଘସିପୁରା,୨୦।୧୨(ଡି.ଏନ.ଏ.)-୨୦ନମ୍ବର ଜାତୀୟ ରାଜପଥ ଶାଳପଡ଼ା ଘସିପୁରା ଓ ଶୈଲଙ୍ଗ ରାସ୍ତା ଉପରେ ପୁଣିଥରେ ଗ୍ୟାରେଜ ଖୋଲିବାକୁ କେନ୍ଦ୍ରକରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ମାତ୍ର କେତେକ ଗ୍ୟାରେଜ ମାଲିକ ବେଆଇନ ଭାବେ ଦଖଲ କରି ରାସ୍ତା ଉପରେ ଗ୍ୟାରେଜ ଖୋଲିଛନ୍ତି। ଫଳରେ ରାସ୍ତା ଉପରେ ବେଆଇନ ପାର୍କିଂ ଓ ଗାଡ଼ି ମରାମତି ଭଳି କାର୍ଯ୍ୟ ପରୋକ୍ଷରେ ଦୁର୍ଘଟଣାକୁ ନିମନ୍ତ୍ରଣ ଦେଉଛି। ଗତ ମାସ ସ୍ଥାନୀୟ ପ୍ରଶାସନ ପୋଲିସ ସହାୟତାରେ ଏହି ଅଞ୍ଚଳ ଗୁଡ଼ିକରେ ଚଢ଼ାଉ କରି ବେଆଇନ ପାର୍କିଂ ଗାଡ଼ିଗୁଡ଼ିକୁ ହଟାଇବା ସହ ଗ୍ୟାରେଜ ମାଲିକଙ୍କ ପାଇଁ କଟକଣା ଜାରି କରିଥିଲା। ମାତ୍ର ଦିନ କେଇଟା ନ ବିତୁଣୁ ପ୍ରଶାସନର ନିଦ୍ଦେର୍ଶକୁ କେହି ଖାତିର କରୁ ନାହାନ୍ତି। ପୁନର୍ବାର ଏହି ରାସ୍ତାରେ ୧୦ ଚକିଆଠାରୁ ଆରମ୍ଭ କରି ୨୪ଚକିଆ ପର୍ଯ୍ୟନ୍ତ ଭାରିଯାନ ଟ୍ରକଗୁଡ଼ିକୁ ରାସ୍ତା ଉପରେ ବହୁଦିନ ଧରି ପାର୍କିଂ କରିବା ସହ ମରାମତି ଚଳାଉଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁ ଏହି ରୁଟ୍‌ରେ ଅନେକ ସ୍ଥାନରେ ରାସ୍ତା ବନ୍ଦ କରାଯାଇ ଡାଇଭର୍ସନ ଲଗାଯାଇଥିବା ବେଳେ ଅନ୍ୟପଟେ ଏଭଳି ଗ୍ୟାରେଜ ଓ ବେଆଇନ ପାର୍କିଂ ଦୁର୍ଘଟଣା ଆଶଙ୍କାକୁ ବଢ଼ାଇ ଦେଇଛି। ପର୍ଯ୍ୟଟନ ଋତୁ ହୋଇଥିବାରୁ ଏହି ରାସ୍ତାଦେଇ ଜିଲା ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସୁଥିବାବେଳେ ଏଭଳି ଟ୍ରାଫିକ ବ୍ୟବସ୍ଥା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଜାତୀୟ ରାଜପଥ ପ୍ରାଧିକରଣ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।