କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍‌ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ପୁତୁରା ଗୌରୀ ଶଙ୍କର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା କ୍ରୀଡ଼ାବିତ୍‌ଙ୍କ ଆଦର୍ଶ ପାଲଟିଥିବା ଏଭରେଷ୍ଟ ଆରୋହଣକାରୀ କଳ୍ପନାଙ୍କ ଗତ ଗୁରୁବାର ମୃତ୍ୟୁ ଘଟିଥିବା ଖବର ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିଲା। ସେ ଦ୍ୱିତୀୟଥର ଲାଗି ଏଭରେଷ୍ଟ ଆରୋହଣ କରି ଫେରୁଥିବା ବେଳେ ବାଲକୋନି ଏରିଆରେ ପ୍ରାଣ ହରାଇଥିବା ଖବର ପ୍ରଚାରିତ ହୋଇଥିଲା। ଢେଙ୍କାନାଳର କଳ୍ପନା ପୂର୍ବରୁ ୨୦୦୪ ଓ ୨୦୦୬ରେ ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ହେଁ ୨୦୦୮ ମେ ୨୧ରେ ନିଜ ସ୍ବପ୍ନକୁ ସାକାର କରିଥିଲେ। ଓଡ଼ିଶାର ପ୍ରଥମ ପର୍ବତାରୋହୀ ଭାବେ ସେ ଏଭରେଷ୍ଟ ଆରୋହଣ କରିଥିଲେ।

Share