କାଠ ଚୋରାଚାଲାଣ ବେଳେ ରେଞ୍ଜରଙ୍କୁ ଆକ୍ରମଣ: ଜାଳିଦେଲେ ବନ ବିଭାଗ ଗାଡ଼ି

ବଇଣ୍ଡା,୨୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ଇଚ୍ଛାପୁର ଗ୍ରାମରେ ସୋମବାର ରାତିରେ ଚୋରାକାଠ ଧରପଗଡ଼ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି। ୩ଜଣ କାଠ ମାଫିଆଙ୍କ ଆକ୍ରମଣରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ଆହତ ହୋଇଛନ୍ତି। ତାଙ୍କ ଗାଡିକୁ ମଧ୍ୟ ଜାଳି ଦିଆଯାଇଛି। ତେବେ ଆହତ ରେଞ୍ଜର ଅନ୍ୟ କର୍ମଚାରୀଙ୍କ ସହାୟତାରେ ଚୋରା କାଠ ସହ ଟ୍ରାକ୍ଟରକୁ ଜବତ କରିଛନ୍ତି। ଏ ନେଇ ରେଞ୍ଜର ବେହେରା ମଙ୍ଗଳବାର ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୨୦୯/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ କହିଛି, ଏକ ଟ୍ରାକ୍ଟର (ନଂ. ଓଡି୧୯ଏଚ-୩୨୮୩)ରେ ୮ଟି ଶାଗୁଆନ ଗଣ୍ଡି ଚାରଖମଣରୁ ଲୁହାମୁଣ୍ଡା ଚୋରାଚାଲାଣ ହେଉଥିବା ଖବରପାଇ ରେଞ୍ଜର ବେହେରା ଓ ଫରେଷ୍ଟର ରଜନୀକାନ୍ତ ପଣ୍ଡା, ସଞ୍ଜୟ ବେହେରା, ଓ୍ବାଚର ପ୍ରଦୀପ ସାହୁ, ସତ୍ୟବାନ ସାହୁ ଏକ ଗାଡ଼ି (ନଂ.ଓଡି୧୯ଏଲ-୨୯୦୬)ରେ ଇଚ୍ଛାପୁର ଅଭିମୁଖେ ଯାଇଥିଲେ। ଇଚ୍ଛାପୁର ହାଇସ୍କୁଲ ନିକଟରେ ଉକ୍ତ ଟ୍ରାକ୍ଟରକୁ ପାଇଲଟିଙ୍ଗ କରି ଏକ ବାଇକ୍‌ରେ ଆସୁଥିବା ଲୁହାମୁଣ୍ଡା ଗ୍ରାମର ଜମ୍ବେଶ୍ୱର ପ୍ରଧାନ ଓ ଅନ୍ୟ ୨ ଜଣଙ୍କ ସହ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। କାଠ ବୋଝେଇ ଟ୍ରାକ୍ଟରକୁ ଛାଡିଦେବା ପାଇଁ ଜମ୍ବେଶ୍ୱର ଓ ତାଙ୍କ ସହଯୋଗୀମାନେ ବନ କର୍ମଚାରୀଙ୍କୁ କହିଥିଲେ। ଏଥିରେ ରେଞ୍ଜର ଅମଙ୍ଗ ହେବାରୁ ସମ୍ପୃକ୍ତ ୩ ଜଣ ରେଞ୍ଜରଙ୍କୁ ଆକ୍ରମଣ କରିବା ସହ ବାଇକ୍‌ ଡିକିରେ ରଖିଥିବା ପେଟ୍ରୋଲ ଆଣି ରେଞ୍ଜରଙ୍କ ଗାଡ଼ି ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ଚୋରା କାଠ ବୋଝେଇ ଟ୍ରାକ୍ଟରକୁ ଛାଡି ଫେରାର ହୋଇଯାଇଥିଲେ। ବନ ବିଭାଗ ଜବତ କରିଥିବା କାଠର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଜମ୍ବେଶ୍ୱର ଓ ସେମାନଙ୍କ ୨ ସହଯୋଗୀ ଫେରାର ଥିବା ପୋଲିସ କହିଛି।