କାଠ ଚୋରା ଚାଲାଣ ବେଳେ ଚଢ଼ାଉ: ୬ ଗିରଫ

ବାଙ୍ଗିରିପୋଷି,୮।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ କର୍ମଚାରୀ ଏହି ବନାଞ୍ଚଳର ଶୀର୍ଷା ବିଟ୍‌ ଅଧୀନ ଝାରପୋଖରିଆ-ସାରସକଣା ରାସ୍ତାରେ ଶନିବାର ଚଢାଉ କରି ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରୁ ଏକ କାଠଗଣ୍ଡି ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ସେହିପରି ରାଜାଲୋକା ବିଟ୍‌ର ମାଟିଆ ବେଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରୁ ଶିମିଳି ପଟା ନେଇ ଯାଉଥିବା ଏକ ଅଟୋରିକ୍ସାକୁ ଜବତ କରାଯାଇଛି। ଏହି ଉଭୟ ଘଟଣାରେ ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି।
ଝାରପୋଖରିଆ-ସାରସକଣା ରାସ୍ତାରେ ଚୋରାକାଠ ଚାଲାଣ ହେଥିବା ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀ ଛକି ରହିଥିଲେ। ଏହି ରାସ୍ତା ଦେଇ ଆସୁଥିବା ପିକ୍‌ଅପ ଭ୍ୟାନ ବନକର୍ମଚାରୀଙ୍କୁ ଦେଖି କାଠ ନେଇ ଫେରାର ହେବାକୁ ଉଦ୍ୟମ କକରିଥିଲା। ବନାଞ୍ଚଳ ଅଧିକାରୀ ତପନ କୁମାର ଦାସଙ୍କ ନେତୃତ୍ୱରେ ବନ କର୍ମଚାରୀ ପିକଅପ୍‌ ଭ୍ୟାନକୁ ଅଟକାଇ କାଠ ଜବତ କରିବା ସହ ସେଥିରେ ଝାରପୋଖରିଆ ଥାନା ଅନ୍ତର୍ଗତ ମୁରୁଣିଆ ଗ୍ରାମର ଶ୍ରୀରାମ ମାଝୀ(୨୪), କପାଡିହା ଗ୍ରାମର କାର୍ତ୍ତିକ ପାତ୍ର(୨୬), ଗୋପିନାଥ ବିନ୍ଧାଣୀ(୩୫),ମନୋରଞ୍ଜନ ମୁଣ୍ଡା(୩୫)ଙ୍କୁ ଗିରଫ କରିଥିଲେ ା ଏହି ଭ୍ୟାନରେ ୮ ନିମ୍ବ ଗଣ୍ଡି ଓ ୫ କଇମ କାଠ ଗଣ୍ଡି ରହିଥିଲା। ଏହାର ମୂଲ୍ୟ ୭୦ ହଜାରରୁ ଲର୍ଦ୍ଧ୍ୱ ହେବ ବୋଲି ବନାଞ୍ଚଳ ଅଧିକାରୀ ଦାସ ପ୍ରକାଶ କରିଛନ୍ତି। ସେହିପରି ରାଜାଲୋକା ବିଟ୍‌ର ମାଟିଆ ବେଡା ନିକଟରୁ କାଠପଟା ବୋଝେଇ ଅଟୋକୁ ଧରାଯାଇ ଏହାକୁ ଚୋରା ଚାଲାଣ କରାଯିବା ଘଟଣାରେ ସରଗଡା ଗ୍ରାମର ବିଜୟ ପାତ୍ର(୧୯) ଓ ଯୋଗେଶ୍ୱର ପାତ୍ର(୪୦)ଙ୍କୁ ଗିରଫ କରାଯାଇଛି। ୩୩ ଖଣ୍ଡ କାଠ ପଟା ସହ ଅଟୋକୁ ଜବତ କରାଯାଇଛି ା ଉଭୟ ସ୍ଥାନରେ ଚଢାଉ ବେଳେ ଅତିରିକ୍ତ ବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାଶ,ବନପାଳ ଖଗେଶ୍ୱର ସେଠୀ, ଅଙ୍କୁର ମଲ୍ଲିକ, ରଜତ ମହାନ୍ତି, ପ୍ରମିଳା ସ୍ବେତା ପ୍ରମୁଖ ଉପସ୍ଥିତ ଥିଲେ ା ଏ ନେଇ ବାଙ୍ଗିରିପୋଷି ବନାଞ୍ଚଳ ତରଫରୁ ପୃଥକ ଭାବେ ଦୁଇଟି ମାମଲା (ନଂ. ୧୦୯/୨୦୧୯ ଏବଂ ୧୧୦/୨୦୧୯) ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।