Categories: ଖେଳ

କାତାର ଇଣ୍ଟରନ୍ୟାଶନାଲରେ ଚାନୁଙ୍କୁ ସ୍ବର୍ଣ୍ଣ

ଦୋହା, ୨୧ା୧୨(ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳକ ସାଇଖୋମ୍‌ ମୀରାବାଇ ଚାନୁ ଏଠାରେ ଚାଲିଥିବା ୬ଷ୍ଠ କାତାର ଇଣ୍ଟରନ୍ୟାଶନାଲ କପ୍‌ ମହିଳା ୪୯ କେଜି ଶ୍ରେଣୀରେ ସ୍ବର୍ଣ୍ଣ ହାସଲ କରିଛନ୍ତି। ଅଲିମ୍ପିକ ଯୋଗ୍ୟତା ହାସଲ ଇଭେଣ୍ଟରେ ୨୫ ବର୍ଷୀୟା ଚାନୁ ୧୯୪ କେଜି ଉତ୍ତୋଳନ କରି ଏହି ପଦକ ପାଇଛନ୍ତି। ଏଠାରେ ବିଜୟ ଦ୍ୱାରା ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଫାଇନାଲ ର଼୍ୟାଙ୍କିଙ୍ଗରେ ଚାନୁ ଭଲ ସ୍ଥାନରେ ରହିବେ। ପୁରୁଷ ୬୭ କେଜି କାଟେଗୋରିରେ
ଭାରତର ଜେରେମି ଲାଲ୍‌ରିନ୍‌ନୁଙ୍ଗା ରୌପ୍ୟ ପଦକ ଲାଭ କରିଛନ୍ତି। ସେ ସ୍ନାଚ୍‌ରେ ୧୪୦ ଓ କ୍ଲିନ ଜର୍କରେ ୧୬୬କେଜି ଏବଂ ମୋଟ ଉପରେ ୩୦୬ କେଜି ଉତ୍ତୋଳନ କରିଥିଲେ। ଶୁକ୍ରବାର ଚାନୁଙ୍କ ପ୍ରଦର୍ଶନ ଚଳିତ ବର୍ଷ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନଠାରୁ ନୂ୍ୟନ ଥିଲା। ଏହି ବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଚାନୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୨୦୧ କେଜି ଉଠାଇ ଦେଇଥିଲେ। ଫ୍ରାନ୍ସର ଦୁଇ ଭାରୋତ୍ତୋଳକ ଅନାଇସ୍‌ ମିଚେଲ (୧୭୨କେଜି) ଏବଂ ମାନନ ଲୋରେଞ୍ଜ (୧୬୫କେଜି)ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଆଶାତୀତ ୨୦୦କେଜି ଅଙ୍କ ଅତିକ୍ରମ କରିଥିଲେ। ସମସ୍ତ ତିନୋଟି ବିଭାଗରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସ୍ନାଚ୍‌ରେ ସେ ୮୭ କେଜି ଉତ୍ତୋଳନ କରିବା ପରେ କ୍ଲିନ ଆଣ୍ଡ୍‌ ଜର୍କରେ ୧୧୪ କେଜି ଏବଂ ମୋଟ ୨୦୧ କେଜି ଉଠାଇଥିଲେ। ଚାଇନାର ଜିଆଙ୍ଗ ହୁଇହୁଆ (୨୧୨କେଜି) ସ୍ବର୍ଣ୍ଣ ପଦକ ଜିତିଥିଲେ। ଆମେରିକାର ଆନାହିମ୍‌ଠାରେ ୨୦୧୭ ସଂସ୍କରଣରେ ଚାନୁ ୪୮ କେଜି ଶ୍ରେଣୀରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ତାଙ୍କ ଓଭର ଅଲ୍‌ ପ୍ରଚେଷ୍ଟା ୧୯୪ କେଜି ଥିଲା। ପିଠି ନିମ୍ନଭାଗ ଇଞ୍ଜୁରିରୁ ମୁକ୍ତି ପାଇବା ପରେ ଚାନୁ ଫେବୃୟାରୀରେ ଆକ୍ସନକୁ ଫେରିଛନ୍ତି। ପିଠିରେ ଯନ୍ତ୍ରଣା ଯୋଗୁ ସେ ୨୦୧୮ରେ ବିଶ୍ୱ ଚାମ୍ପିୟନଶିପ୍‌ ଓ ଏସିଆନ ଗେମ୍ସରେ ଭାଗ ନେଇପାରି ନାହାନ୍ତି। ମଣିପୁରୀ ଭାରୋତ୍ତୋଳିକା ଇଗାଟ୍‌ କପ୍‌ ୪୯ କେଜି ବିଭାଗରେ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୬ଟି ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ମଧ୍ୟରୁ ଏହା ତାଙ୍କର ପ୍ରଥମ ଥିଲା।

Share