କାଦୁଅରେ ଫସିଗଲା ଆମ୍ବୁଲାନ୍ସ

ନୟାଗଡ ଅଫିସ/ ଦଶପଲ୍ଲା, ୭ା୩ (ଡି.ଏନ୍‌.ଏ.): ଜଣେ ଗର୍ଭବତୀଙ୍କୁ ନେଇ ନୟାଗଡ ଜିଲାର ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ଆସୁଥିଲା ୧୦୮ ଆମ୍ବୁଲାନ୍ସ । ବାଟରେ ବର୍ଷା ହେବାରୁ ଆଦିବାସୀ ଅଧ୍ୟୁଷିତ ଦୁଢ଼ା ପଞ୍ଚାୟତର ଜୁଡାଗଣ୍ଡା ଗଁ। ନିକଟ ବାଲିଝରୀ ଘାଟିରେ ନିର୍ମାଣାଧୀନ ରାସ୍ତାରେ କାଦୁଅ ଯୋଗୁ ଫସି ଯାଇଥିଲା ଆମ୍ବୁଲାନ୍ସ । ଏଭଳିସ୍ଥଳେ ଗଁ। ଲୋକେ ଟ୍ରାକ୍ଟର ଦ୍ୱାରା ଆମ୍ବୁଲାନ୍ସକୁ ପ୍ରାୟ ୧କିମି ପର୍ଯ୍ୟନ୍ତ ଟାଣି ନେଇଥିଲେ।
କାଦୁଅରୁ ହଟିବା ପରେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଗର୍ଭବତୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଗୁରୁବାର ଜୁଡାଗଣ୍ଡା ଗଁ।ର ହିମାଂଶୁ ଶେଖର ଜାନୀଙ୍କ ସ୍ତ୍ରୀ ସୁମତି ଗର୍ଭ ବେଦନାରେ ଛଟପଟ ହେଉଥିଲେ । ବାରମ୍ବାର ଚେଷ୍ଟା ପରେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇଥିଲା । ଅପରାହ୍ନରେ ବାଣିଗୋଚ୍ଛା ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲା । ଗୁରୁହା ଠାରୁ ସୁନ୍ଦୁରୁକୁମ୍ପା ରାସ୍ତାରେ ଆସିବାବେଳେ ବାଲିଝରୀ ଘାଟିରେ ନିର୍ମାଣାଧୀନ ରାସ୍ତାର କାଦୁଅରେ ଆମ୍ବୁଲାନ୍ସ ଫସି ଯାଇଥିଲା । ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ସୁମତିଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି ।

Share