କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ ଓ ରେଜିଲିଏନ୍ସ ପ୍ରକଳ୍ପର ମିଳିତ ପ୍ରଚେଷ୍ଟାରେ ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମଠାରେ ଓୟୁଏଟି ବଳଦଟଣା କାଦୁଅ କରିବା ଯନ୍ତ୍ର ଓ ୮ ଧାଡ଼ିଆ ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଆଖପାଖ ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ। ଓୟୁଏଟି ବଳଦଟଣା କାଦୁଅ କରିବା ଯନ୍ତ୍ର ଦ୍ୱାରା ମାତ୍ର ୪ ଘଣ୍ଟାରେ ୧ ଏକର ଜମି କାଦୁଅ କରାଯାଉଥିବା ବେଳେ ଦେଶୀ ଲଙ୍ଗଳରେ ପାରମ୍ପରିକ ପଦ୍ଧତିରେ ପ୍ରାୟ ୧୨ ରୁ ୧୮ ଘଣ୍ଟାରେ କାଦୁଅ କରାଯାଇଥାଏ। କାଦୁଅ କରିବା ଯନ୍ତ୍ରରେ ଚାଳକ ବସି କାଦୁଅ କରୁଥିବାବେଳେ କମ ପରିଶ୍ରମରେ ସୁବିଧାରେ କାଦୁଅ ହେଉଛି। ଏହାର ଆନୁମାନିକ ମୂଲ୍ୟ ୪୩୦୦ ଓ ସରକାରୀ ରିହାତି (ଶତକଡ଼ା ୭୫ ଭାଗ) ସହ ଏହା ଚାଷୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ଓୟୁଏଟି ଗଜାଧାନ ବୁଣାଯନ୍ତ୍ରରେ ମାତ୍ର ୩ ଘଣ୍ଟାରେ ୧ ଏକର କାଦୁଅ ହୋଇଥିବା ଜମିରେ ଧାଡ଼ିରେ ଗଜାଧାନ ବୁଣାଯାଇପାରୁଛି। ରୁଆଧାନ ଭଳି ଏଥିରେ ମଧ୍ୟ ଅଧିକ ଉପତ୍ାଦନ ମିଳିପାରୁଛି। ଏହି ଯନ୍ତ୍ରର ଆନୁମାନିକ ମୂଲ୍ୟ ୧୩,୫୦୦ ଓ ସରକାରୀ ରିହାତି (୨୦୦୦ ଟଙ୍କା ଛାଡ଼) ସହ ଏହାକୁ ଚାଷୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଅଛି। କ୍ଷେତ୍ର ପ୍ରଦର୍ଶନର ଆୟୋଜନ କରି ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯନ୍ତ୍ରଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଥିଲେ।