କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ପାଣିରେ ବୁଡ଼ିଗଲେ, ୫ ବର୍ଷର ଶିଶୁ ମୃତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କାକାମାହା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ଜଣେ ୫ ବର୍ଷର ଶିଶୁର ଅକାଳରେ ମୃତ୍ୟୁ ଘଟିଛି। ସେ ହେଲେ କାକାମାହା ଗ୍ରାମର ରସାନ୍ତ ପ୍ରଧାନଙ୍କ ଏକମାତ୍ର ସନ୍ତାନ ବାଦଲ।
ପ୍ରକାଶ ଯେ, ବାଦଲ ବାପା ରସାନ୍ତ ଏବଂ ମା’ ଶାନ୍ତିଙ୍କ ସହ ନିଜ ଚାଷ ଜମିକୁ ଯାଇଥିଲେ ା ସେଠାରେ ମା’ବାପା ଚଣା ଖୋଳୁଥିବା ବେଳେ ନିକଟରେ ଥିବା ବାଦଲଙ୍କ ଗୋଡ଼ କାଦୁଅ ହୋଇଯାଇଥିଲା। ଫଳରେ ସେ ନିକଟସ୍ଥ ଚୁଆକୁ ଗୋଡ଼ ଧୋଇବାକୁ ଯାଇଥିଲେ। ମାତ୍ର ଫେରିବାରେ ବିଳମ୍ବ ହେବାରୁ ବାପା ଖୋଜାଖୋଜି କରିଥିଲେ ହେଲେ ପୁଅକୁ ପାଇ ନ ଥିଲେ। ମାତ୍ର ଚୁଆ ପାଣିରୁ ଫୋଟକା ବାହାରୁଥିବା ଦେଖି ବାଦଲ ପାଣିରେ ବୁଡ଼ି ଯାଇଥିବା ଆଶଙ୍କାରେ ରସାନ୍ତ ପାଣିକୁ ଡେଇଁପଡ଼ିଥିଲେ। ଚୁଆରୁ ବାଦଲଙ୍କୁ ଉଦ୍ଧାରକରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ା ଏ ନେଇ ପରିବାରଲୋକେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଛନ୍ତି। ସେପଟେ ତହସିଲଦାର ନୀତୀଶ ତ୍ରିପାଠୀ ଘଟଣାର ତଦନ୍ତ ପାଇଁ ରାଜସ୍ବ ନୀରିକ୍ଷକ ଏବଂ ସୁପରଭାଇଜରଙ୍କୁ ପଠାଇଥିବା କହିଛନ୍ତି।

Share