କାଦୁଆ ଆଶ୍ରମ ଏବେ ଜରାଜୀର୍ଣ୍ଣ

ପୁରୀ ଅଫିସ/ସାକ୍ଷୀଗୋପାଳ, ୪ା୮ (ଡି.ଏନ.ଏ.): ସାକ୍ଷୀଗୋପାଳ ନିକଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ କାଦୁଆ ଗଁ।। ଏହି ଗଁ।ରେ ୧୯୨୫ ମସିହାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତିଆରି କରିଥିଲେ ଦରିଦ୍ର ନାରାୟଣ ସେବା ସଂଘ। ଲୋକମୁଖରେ ଏହା କାଦୁଆ ଆଶ୍ରମ ଭାବେ ପରିଚିତ। ଗୋପବନ୍ଧୁଙ୍କ ସେବାର ସନ୍ତକ ଭାବେ ସ୍ମୃତି ବହନ କରୁଥିବା ଏହି ଆଶ୍ରମରେ ଗରିବ ଏବଂ ଅସହାୟ ଲୋକଙ୍କୁ କାମ ଧନ୍ଦା ଯୋଗାଇ ଦିଆଯାଉଥିଲା। ସୂତା କାଟିବା, ତନ୍ତରେ ଖଦି ବସ୍ତ୍ର ତିଆରି କରିବା, ବସ୍ତ୍ରରେ ରଙ୍ଗ ଦେବା, ମହୁ ଓ ଏଣ୍ଡିପୋକ ଚାଷ, ଘଣାରେ ତେଲ ପେଡ଼ିିବା ଆଦି କାମ କରୁଥିଲେ ଅନେକ ଲୋକ। ଏଥିସହ ପ୍ରାକୃତିକ ବିପତ୍ତି ଯେପରି କି ବନ୍ୟା, ବାତ୍ୟା, ଘରପୋଡ଼ି ସମୟରେ ଗୋପବନ୍ଧୁଙ୍କ ପ୍ରେରଣାରେ ବିପନ୍ନଙ୍କୁ ସେବା ମଧ୍ୟ ଯୋଗାଇ ଦେଉଥିଲେ। ଏହାବ୍ୟତୀତ ଏହି ଆଶ୍ରମ ପରିସରରେ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଥିଲା। ସମାଜ ବିକାଶରେ ଏହି ଆଶ୍ରମର ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଘରେ ଘରେ ଖଦିର ପ୍ରସାର, ସୂତା କାଟି ବସ୍ତ୍ର ତିଆରି କରିବା, ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା, କୁଟି ଖାଅ କାଟି ପିନ୍ଧର ବାର୍ତ୍ତା ଘରେ ଘରେ ପହଞ୍ଚାଇବାର ମାଧ୍ୟମ ପାଲଟିଥିଲା ଏହି ଆଶ୍ରମ। ବିଭିନ୍ନ ସଭା ସମାବେଶ ଏବଂ ପୂଜ୍ୟପୂଜା, ସେବାଶିବିର ଏଠାରେ ଆୟୋଜନ ହେଉଥିବାବେଳେ ଏକଦା ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଆଶ୍ରମରେ ପାଦ ଥାପି ଗୋଟିଏ ରାତି ବିତାଇଥିଲେ। ଗୋପବନ୍ଧୁଙ୍କ ଜନସେବାକୁ ସେ ଢେର ପ୍ରଶଂସା ମଧ୍ୟ କରିଥିଲେ। ଏଭଳି ଐତିହ୍ୟର ସ୍ମୃତି ବହନ କରୁଥିବା ଏହି ଆଶ୍ରମ ଆଜି ଖଁ। ଖଁ। । ୨୦/୨୫ ବର୍ଷ ହେବ ଏକପ୍ରକାର ନିସ୍ତବ୍ଧ ପାଲଟିଥିବା ଆଶ୍ରମ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ଏହା ପରିସରରେ ଥିବା ଘରଗୁଡ଼ିକ ଭାଙ୍ଗି ଯାଇଥିବାବେଳେ ଏହାର ପୁନରୁଦ୍ଧାର ଦିଗରେ କେହି ନଜର ଦେଉନାହାନ୍ତି । ଫଳରେ ଏ ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଜଗଦ୍ଦେବ କହିଛନ୍ତି, ସ୍ବଦେଶୀ ସ୍ବାବଲମ୍ବନ ଏବଂ ସେବା ହିଁ ଏହି ଆଶ୍ରମର ମୂଳମନ୍ତ୍ର ଥିଲା। ହେଲେ ଐତିହ୍ୟକୁ ଜାବୁଡ଼ି ଧରିଥିବା ଏହି ଆଶ୍ରମ ଉପେକ୍ଷିତ ହୋଇପଡ଼ିଛି। ଏହାର ପୁନରୁଦ୍ଧାର ଜରୁରୀ ହୋଇପଡିଛି ବୋଲି ଜଗଦ୍ଦେବ ମତ ପ୍ରକାଶ କରିଛନ୍ତି।

Share