କାନପୁର କେନାଲର ମାଟି ଉଠାଣ: ତହସିଲରେ ଅଭିଯୋଗ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣରେ ମାଟି ଉଠାଣକୁ ନେଇ ବିବାଦ ଦେଖାଦେବା ପରେ ତହସିଲରେ ଅଭିଯୋଗ ହେବା ସହିତ ପଳାଶପଙ୍ଗା ବିଟହାଉସରେ ଏତଲା ହୋଇଛି। ସୂଚନା ଯୋଗ୍ୟ ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତରେ କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣ ଚାଲିଛି। କେନାଲ ଖୋଳା କାମ ଚାଲିଥିବା ବେଳେ, ସ୍ଥାନେ ସ୍ଥାନେ କଲର୍ଭଟ ଓ କେନାଲ ପୋଲ ନିର୍ମାଣରେ ଫିଲିଙ୍ଗ ପାଇଁ ପ୍ରଚୁର ପରିମାଣ ମାଟିର ଆବଶ୍ୟକତା ପଡୁଛି। କେନାଲ କାମର ଟେଣ୍ଡର ନେଇଥିବା ଠିକାଦାର ସରକାରୀ ଜମିରୁ ମାଟି ଉଠାଉ ଥିଲେ ହେଁ, ମେଶିନ ଲଗାଇ ବଡ ବଡ ଗାଢ କରୁଥିବାରୁ ସରକାରୀ ଜମି ପାଖକୁ ଲାଗି ରହିଥିବା ଚାଷୀଙ୍କର ପଟ୍ଟାଭୂକ୍ତ ଜମି କ୍ଷତିଗ୍ରସ୍ତ ହେଉଛି । ବଡ ବଡ ଗାଢ ହେବା ଦ୍ୱାରା ଚାଷୀଙ୍କ ଜମି ହୁଡା ଧସି ପଡୁଛି। ନିୟମ ଅନୁଯାୟୀ ମାଟି ଉଠାଣରେ ପରିବେଶ ସହିତ ଚାଷୀଙ୍କର କିଛି କ୍ଷତି ହେବନାହିଁ ବୋଲି ରାଜସ୍ବ କାର୍ଯ୍ୟାଳୟର ଏଗ୍ରିମେଣ୍ଟରେ ଲେଖା ଯାଇଥାଏ। ଏ ନେଇ କଣ୍ଡରାପଶି ଗ୍ରାମର ଚାଷୀ ଟଙ୍କଧର ନାଏକଙ୍କ ପରିବାର ସଦର ତହସିଲରେ ଅଭିଯୋଗ କରିବା ସହିତ ପଳାଶପଙ୍ଗା ପୋଲିସ ବିଟ ହାଉସରେ ଅଭିଯୋଗ କରିଛନ୍ତି। ଏହା ଭିତରେ ୧୫ଦିନ ବିତିଯାଇଥିଲେ ହେଁ ପଦକ୍ଷେପ ନିଆଯାଉ ନାହିଁ। ଏନେଇ କେନ୍ଦୁଝର ସଦର ତହସିଲଦାର ପ୍ରକାଶ ଚନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ ହୋଇ ପାରି ନାହିଁ। ପୋଲିସ ବିଟହାଉସ ଅଧିକାରୀ ଶ୍ରୀକାନ୍ତ ପରିଡା କହିଛନ୍ତି ଯେ, ସମ୍ପୃକ୍ତ ଠିକାଦାରଙ୍କୁ ଏବଂ ଚାଷୀଙ୍କୁ ଡକାଇ ସମାଧାନ କରାଯିବ। ସେହିପରି କାନପୁର ପ୍ରକଳ୍ପର ସହକାରୀ ଯନ୍ତ୍ରୀ କନ୍ଦର୍ପ ବେହେରାଙ୍କୁ ପଚାରିବାରୁ କଣ ହୋଇଛି ବୁଝୁଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।