କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି : ଦ୍ୱିତୀୟ ଦିନରେ ଧାରଣା

ଭଦ୍ରକ ଅଫିସ,୩ା୫- କାନ୍ତକବି ମଞ୍ଚ ପକ୍ଷରୁ ବାଇପାସ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ବୁଧବାର ଦ୍ୱିତୀୟ ଦିନରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତି ଜନ୍ମମାଟିରେ ଏହା ଏକ ବିରାଟ ଅସମ୍ମାନ ବୋଲି କାନ୍ତକବି ମଞ୍ଚ ଓଡ଼ିଶା ପ୍ରଦେଶ ପକ୍ଷରୁ କୁହାଯାଇଥିଲା। ମଞ୍ଚ ପକ୍ଷରୁ ୮ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଥିଲା। ମଞ୍ଚ ପକ୍ଷରୁ ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଦାବି ମାନଙ୍କ ମଧ୍ୟରେ ବାଇପାସ ଛକ ନିକଟରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ କରାଯାଇ ସେଠାରେ ଏକ ଛୋଟିଆ ପାର୍କ ନିର୍ମାଣ କରାଯାଉ, ମରଣୋତ୍ତର ଭାରତର ରତ୍ନ କିମ୍ବା ପଦ୍ମବିଭୂଷଣ ପ୍ରଦାନ କରାଯାଉ, ବନ୍ଦେ ଉକତ୍ଳ ଜନନୀକୁ ପ୍ରତ୍ୟେକ ବିଦ୍ୟାଳୟରେ ଗାନ କରାଯାଉ, ସେହିଭଳି ତାଙ୍କ ନାଁରେ ଏକ ଡାକ ଟିକଟ ପ୍ରଚଳନ କରାଯାଉ, କାନ୍ତକବିଙ୍କ ଏକ ସ୍ମାରକୀ ଗୃହ ଭଦ୍ରକରେ ପ୍ରତିଷ୍ଠା କରାଯାଉ, ନୂଆବସଷ୍ଟାଣ୍ଡ ନିକଟସ୍ଥ ପାର୍କକୁ କାନ୍ତକବିଙ୍କ ନାଁରେ ଘୋଷଣା କରାଯାଉ। ସେହିଭଳି ଜିଲାର ଏକ କଲେଜକୁ କାନ୍ତକବି ମହାବିଦ୍ୟାଳୟ ଭାବରେ ନାମିତ କରାଯାଉ। ଭଦ୍ରକର ଏକ ଅଞ୍ଚଳକୁ କାନ୍ତକବି ନଗର ଓ ଏକ ରାସ୍ତାକୁ କାନ୍ତକବି ମାର୍ଗ ଭାବରେ ନାମିତ କରାଯାଉ ବୋଲି ଦାବି କରାଯାଇଛି। ସ୍ମାରକ ପତ୍ର ପ୍ରଦାନ କରିବା ବେଳେ ଶିକ୍ଷାବିତ୍‌ ଅଧ୍ୟାପିକା ରାଧାରାଣୀ ପଣ୍ଡା, ଶିକ୍ଷୟିତ୍ରୀ ଗୀତାରାଣୀ ଆଇଚ, ଉତ୍କଳ ସମ୍ମିଳନୀର ସମ୍ପାଦକ ଅଜୟ ନାୟକ, ଓଡ଼ିଶା ସ୍ବାଭିମାନ ପରିଷଦର ସାଧାରଣ ସମ୍ପାଦକ ଡ. ନିରଞ୍ଜନ ବିଶ୍ୱାଳ, ନିରୁପମା ଦାସ, ପରମାନନ୍ଦ ମାଝୀ, ଯୁବନେତା ନଳିନୀ ମହାନ୍ତି, ଗାଁ ସାଥୀ ସଂଘର ଭଦ୍ରକ ଜିଲା ସଭାପତି ପ୍ରମୋଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।