କାନ୍ଥରେ ସଚେତନତା ବାର୍ତ୍ତା ଲେଖୁଛନ୍ତି ଚିତ୍ରଶିଳ୍ପୀ

କୋମନା,୨୦।୪(ଡି.ଏନ.ଏ.)-ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଯୋଦ୍ଧା ରୂପେ ଛିଡା ହୋଇଛନ୍ତି। କିଛି ଯୋଦ୍ଧା ଭୋକିଲାଙ୍କୁ ଖାଦ୍ୟ ଦେଉଛନ୍ତି ତ ଆଉ କିଛି ଯୋଦ୍ଧା ବିଭିନ୍ନ ମାଧ୍ୟମରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବାକୁ ସଚେତନ କରୁଛନ୍ତି। ଏଭଳି ସ୍ଥଳେ ନୂଆପଡା ଜିଲା ଚିତ୍ରଶିଳ୍ପୀ ସଂଘ ନିଶୁଳ୍କ ଭାବେ ଗାଁ ଗାଁକୁ ଯାଇ ଲୋକଙ୍କ ଘର କାନ୍ଥରେ କରୋନା ସମ୍ପର୍କୀତ ସଚେତନତା ବାର୍ତ୍ତା ଲେଖି ସଚେତନ କରୁଛି। ଏଥିପାଇଁ ଜିଲା ଚିତ୍ରଶିଳ୍ପୀ ସଂଘ ସଭାପତି ଗୌରାଙ୍ଗ ମଲ୍ଲିକ ନେତୃତ୍ୱ ନେଇଛନ୍ତି। ଏବେ ସୁଦ୍ଧା ଜିଲାର ୩୦ରୁ ଅଧିକ ଗାଁରେ ସରକାରଙ୍କ କରୋନା ମୁକାବିଲାର ନିୟମାବଳୀ କାନ୍ଥରେ ଚିତ୍ରଶିଳ୍ପୀମାନେ ଲେଖୁଛନ୍ତି। ଏହାଦ୍ୱାରା ଲୋକେ ସଂପୂର୍ଣ୍ଣ ସଚେତନ ହୋଇ କରୋନାରୁ ମୁକ୍ତି ପାଇ ପାରିବେ ବୋଲି ଆଶା କରାଯାଉଛି।