କାନ୍ଥ କହେ କାହାଣୀ: କଳାପାହାଡ଼ ବିଭୀଷିକାର ସାକ୍ଷୀ ‘ମା ଗଡ଼ଚଣ୍ଡୀ’

କଟକ ଅଫିସ, ୫ା୧୧: ପ୍ରାଚୀନ ସହର କଟକ। ଏଠାରେ ରହିଛି ଅନେକ ସଂସ୍କୃତି ଓ ଇତିହାସ। ସହରଟି ଯେତିକି ପୁରୁଣା ତା’ର କାହାଣୀ ମଧ୍ୟ ସେତିକି ପ୍ରାଚୀନ। କୋଣ ଅନୁକୋଣରେ ଭରି ରହିଛି ଇତିହାସର ଛିଟା। ଏହିସବୁ ଲୋକଲୋଚନକୁ ଆଣିବା ପାଇଁ ଧରିତ୍ରୀର ପ୍ରୟାସ। ଏହି ଅବସରରେ ପ୍ରସିଦ୍ଧ ଶକ୍ତିପୀଠ କଟକର ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର ଉପରେ ସ୍ବତନ୍ତ୍ର ଉପସ୍ଥାପନା…

ପୁରାତନ କାଳରେ ବାରବାଟୀ ଦୁର୍ଗ ରାଜା ମୁକୁନ୍ଦଦେବଙ୍କର ଗଡ ଥିଲା। ସେ ନିଜ ଗଡକୁ ସୁରକ୍ଷା ଦେବା ପାଇଁ ଏକ ଖାଇ ତିଆରି କରିଥିଲେ। ସେଠାରେ ମା’ ଶକ୍ତିମୟୀ ଚଣ୍ଡୀ ଦେବୀ ରାଜାଙ୍କୁ ସୁରକ୍ଷା ଦେଉଥିଲେ। ତେଣୁ ମା’ ଗଣ୍ଡଚଣ୍ଡୀ ଭାବେ ଖ୍ୟାତ। ତେବେ ମା’ ଗଡଚଣ୍ଡୀଙ୍କର ଆବିର୍ଭାବରେ ଅନେକ କିମ୍ବଦନ୍ତୀ ରହିଛି। ଲୋକକଥା ରହିଛି, ମା’ ଗଡଚଣ୍ଡୀଙ୍କ ମନ୍ଦିର ପ୍ରାୟ ୫୦୦ ବର୍ଷ ତଳୁ ରହିଥିଲା। ଉକ୍ତ ସ୍ଥାନ ବଣଜଙ୍ଗଲରେ ପରିପୂର୍ଣ୍ଣ ରହିଥିବାବେଳେ ଏହି ମନ୍ଦିର ମାଟିତଳେ ପୋତି ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ମୁକୁନ୍ଦଦେବଙ୍କ ଦ୍ୱାରା ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା। ହେଲେ ୧୫୬୮ରେ କଳାପାହାଡ଼ ଓଡିଶା ଆକ୍ରମଣ କରିଥିଲେ। ରାଜା ସୁଲେମାନଙ୍କ ସୈନ୍ୟବାହିନୀର ସେନାପତି ଥିବା କଳାପାହାଡ଼ ଓଡ଼ିଶାର ମଠ, ମନ୍ଦିର ଉପରେ ଆକ୍ରମଣ କରିଥିବାବେଳେ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର ମଧ୍ୟ ଏଥିରୁ ବାଦ ପଡ଼ି ନ ଥିଲା। ଆଜି ବି ମା’ଗଡ଼ଚଣ୍ଡୀ ମନ୍ଦିରର ପ୍ରତ୍ୟେକ ପ୍ରସ୍ତର କଳାପାହାଡ ଆକ୍ରମଣ ବିଭୀଷିକାକୁ ପ୍ରତୀୟମାନ କରେ। ଗଡଚଣ୍ଡୀଙ୍କ ପାଖରେ ପ୍ରତ୍ୟେକ ନିତ୍ୟ ପଞ୍ଚ ନୈବିଦ୍ୟ ପୂଜା କରାଯାଇଥାଏ। ଏଠାରେ ଆମିଷ ହୋଇ ନ ଥାଏ। ଷୋଳପୂଜା ସମୟରେ ମା’ଙ୍କ ପାଖରେ ପାଣି କଖାରୁ ବଳି ଦିଆଯାଇଥାଏ।

ମା’ ଗଡଚଣ୍ଡୀ ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି। ବାତ୍ୟା, ବନ୍ୟା ଓ ମରୁଡି ସମୟରେ ସହରବାସୀଙ୍କ ଉପରେ ମା’ କୃପା ଦୃଷ୍ଟି ଦେଇଥାନ୍ତି। ପ୍ରତ୍ୟକ୍ଷ ଭାବେ ମା’ ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି।
– ପାର୍ବତୀ ରାଉତ, ଶ୍ରଦ୍ଧାଳୁ

ମା’ଙ୍କ ପାଖରେ ଯିଏ ଶରଣାପନ୍ନ ହୋଇଛି ତାଙ୍କ ମନସ୍କାମନା ପୂରଣ ହୋଇଛି। ନିଷ୍ଠାର ସହିତ ମା’ଙ୍କର ପୂଜାର୍ଚ୍ଚନା କଲେ ନିଶ୍ଚିତ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
– ଅଜୟ କୁମାର ବାରିକ, ଶ୍ରଦ୍ଧାଳୁ

ମା’ ଗଡଚଣ୍ଡୀଙ୍କର ସେବା ୨୧ ବର୍ଷ ଧରି କରିଆସୁଛି। ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ତାଙ୍କର ଆଶିର୍ବାଦ ସବୁବେଳେ ରହିଛି। ରାତିରେ ଚଣ୍ଡୀପାଠ କରୁଥିବା ସମୟରେ ହଠାତ୍‌ ମୋତେ ନିଦ ଲାଗିଯାଇଥିଲା। ମା’ ନିଜେ ମୋ କଣ୍ଠରେ ୩ଟି ଶ୍ଳୋକ ପାଠ କରିଛନ୍ତି।
– ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପୂଜକ

Share