Advertisement

କାନ୍ଥ ପଡ଼ି ମହିଳା ମୃତ

ରାସଗୋବିନ୍ଦପୁର,୨୫ା୧୦(ଡି.ଏନ୍‌.ଏ.)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର ବ୍ଲକ ଅଧୀନ ଖୁଣ୍ଟାପାଳ ଗ୍ରାମରେ ଶୁକ୍ରବାର ସକାଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ସୋମନାଥ ପଲେଇଙ୍କ ପତ୍ନୀ ଦମୟନ୍ତୀ (୪୫) ବୋଲି ଜଣାପଡ଼ିଛି। ଖବରପାଇ ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାର୍ଁଇ ବାରିପଦା ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛିି। ଦମୟନ୍ତୀ ରୋଷେଇ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଓଦା ହୋଇଥିବା ମାଟିକାନ୍ଥ ହଠାତ୍‌ ତାଙ୍କ ଉପରେ ପଡି ଯାଇଥିଲା। ପରିବାର ଲୋକେ ପଡୋଶୀଙ୍କ ସହାୟତାରେ କାନ୍ଥ ତଳୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୫ତାରିଖରେ ମୃତ ଦମୟନ୍ତୀଙ୍କ ଝିଅର ବାହାଘର ସ୍ଥିରୀକୃତ ହୋଇଥିବା ବେଳେ ତାଙ୍କର ଏଭଳି ମର୍ମନ୍ତୁଦ ମୃତ୍ୟୁ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଆର୍ଥିକ ଦୁସ୍ଥତା ମଧ୍ୟରେ ଗତି କରୁଥିବା ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share