କାନ୍ଥ ପଡ଼ି ସ୍ବାମୀ ମୃତ, ସ୍ତ୍ରୀ ଓ ଜ୍ୱାଇଁ ଗୁରୁତର

କେନ୍ଦୁଝର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପଣ୍ତାପଡ଼ା ଥାନା ତେନ୍ତେଳାପୋଶି ପଞ୍ଚାୟତ ମିଶ୍ରମାଳ ଗ୍ରାମରେ କାନ୍ଥ ପଡ଼ି ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଓ ଜ୍ବାଇଁ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ସୂଚନାଯୋଗ୍ୟ, ଗ୍ରାମର ମକରା ମୁଣ୍ତା(୫୦), ସ୍ତ୍ରୀ ସମବାରୀ ମୁଣ୍ତା(୪୫) ଘରେ ଶୋଇଥିଲେ। ଲଘୁଚପା ଜନିତ ପ୍ରବଳ ବର୍ଷା ହେବାରୁ ମାଟିକାନ୍ଥ ଦୁର୍ବଳ ହୋଇ ଘରର ଖପର ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ମକରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଘରକୁ ଆସିଥିବା ଜ୍ୱାଇଁ ମୁନା ମୁଣ୍ଡା ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସହାୟତା ଦେବାକୁ ହରିଚନ୍ଦନପୁର ତହସିଲଦାରଙ୍କୁ କୁହାଯାଇଥିବା ସ୍ବରଞ୍ଜିତା ବେହେରା, ଜିଲା ଆପତ୍ତକାଳୀନ ଅଧିକାରିଣୀ କହିଛନ୍ତି। ସରକାରଙ୍କ ବିଭିନ୍ନ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘର ମିଳୁଥିବାବେଳେ ଏହି ଆଦିବାସୀ ପରିବାରକୁ ଆଜି ପର୍ଯ୍ୟନ୍ତ ଘରେ ଖଣ୍ଡେ ମିଳିନାହିଁ। ସରକାରଙ୍କ ଆବାସ ଯୋଜନାର ସ୍ବଚ୍ଛତା ଓ କାର୍ଯ୍ୟକାରିତା ଉପରେ ବିରୋଧୀ ପ୍ରଶ୍ନ ଉଠାଇ ତୁରନ୍ତ ସହାୟତା ପାଇଁ ଦାବି କରିଛନ୍ତି।