କାନ୍ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ପୋଷାକ‘ଦି ଲାଷ୍ଟ୍‌ କଲର୍‌’ର ପ୍ରମୋଶନ କଲେ ଜିତେନ୍ଦ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ପୁଣିଥରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟ୍‌ରେ ଚାଲିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କାନ୍ସରେ ସ୍ମାଇଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଫର୍‌ ଚିଲ୍‌ଡ୍ରେନ୍‌ ଆଣ୍ଡ ୟୁଥ୍‌କୁ ପ୍ରତିନିଧିତ୍ୱ କରି ଜିତେନ୍ଦ୍ର ଫ୍ରାନ୍ସରେ ଅନୁଷ୍ଠିତ ୭୨ତମ କାନ୍ସରେ ଏଥର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସମ୍ବଲପୁରୀ ପୋଷାକ ପିନ୍ଧି ରେଡ୍‌ କାର୍ପେଟ୍‌ରେ ଚାଲିଥିବା ଦେଖିବାକୁ ମିଳିଥିଲା। କାନ୍ସରେ ଭାଗନେଇଥିବା ପ୍ରତ୍ୟେକ ସେଲିବ୍ରିଟି ପାଶ୍ଚାତ୍ୟ ଚାକଚକ୍ୟ ପୋଷାକ ପିନ୍ଧି ରେଡ୍‌ କାର୍ପେଟ୍‌ରେ ଯାଉଥିବା ବେଳେ ଏକ ସବୁଜ ରଙ୍ଗର ଆକର୍ଷଣୀୟ ସମ୍ବଲପୁରୀ ଜ୍ୟାକେଟ୍‌ରେ ଜିତେନ୍ଦ୍ର ବାରି ହୋଇପଡ଼ିଥିଲେ। ଚଳିତବର୍ଷ କାନ୍ସରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ୍‌ ଏବଂ ଫୋରମ୍‌ର ସଦସ୍ୟ ଥିବା ଏହି ଯୁବ ପ୍ରଯୋଜକ ଓ ପ୍ରମୋଟର ସବୁଠାରେ ସମ୍ବଲପୁରୀ ତଥା ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିଥିଲେ। ଏହି ଅବସରରେ ସେ କହିଛନ୍ତି, ମୋ ଜୀବନର ପ୍ରତ୍ୟେକ ସ୍ମରଣୀୟ ଇଭେଣ୍ଟ ଓ କାର୍ଯ୍ୟକ୍ରମରେ ମୁଁ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ପସନ୍ଦ କରେ। ଏହି ହାତ ତିଆରି ପୋଷାକରେ ଏକ ଦିବ୍ୟ ଶକ୍ତି ରହିଥାଏ, ଯାହାକି ମୋତେ ଦୃଢ଼ ମନୋବଳ ସହ ଆଗକୁ ବଢ଼ିବାକୁ ଶକ୍ତି ଯୋଗାଏ।
ସେଲିବ୍ରିଟି ସେଫ୍‌ ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ଗତ ୧୫ତାରିଖରେ କାନ୍ସରେ ସ୍ବତନ୍ତ୍ର ବିଭାଗରେ ସ୍କ୍ରିନିଂ ହୋଇଥିଲା। କାନ୍ସ ପ୍ରଡ୍ୟୁସର ନେଟ୍‌ଓ୍ବାର୍କର ସଦସ୍ୟ ଥିବା ଜିତେନ୍ଦ୍ର କାନ୍‌ସର ଇଣ୍ଡିଆ ପ୍ୟାଭିଲିୟନରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବିକାଶ ଖାନ୍ନାଙ୍କ ସହ ଅଂଶଗ୍ରହଣ କରିଥିଲେ। ଟିଟିଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ଏକାଧିକ ଫିଲ୍ମର ପ୍ରଡ୍ୟୁସର୍‌ ଓ ପ୍ରମୋଟର। ବିଭିନ୍ନ ବର୍ଗର ତଥା ଭିନ୍ନସ୍ବାଦର ୧୧୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଏହାସହ ଏକାଧିକ ଅନ୍ତର୍ଜାତୀୟସ୍ତରର ଫିଲ୍ମ ଫେଷ୍ଟିଭାଲର ସେ ଜୁରି ସଦସ୍ୟ ରହିଛନ୍ତି।

Share