କାନ ଧରି ପ୍ରତିବାଦ କଲେ ସିଟି ଓ ବିଏଡ୍‌ ଡିଗ୍ରୀଧାରୀ

ଭୁବନେଶ୍ୱର, ୧୩ା୨ (ବ୍ୟୁରୋ): ପାଠ ପଢ଼ି ଭଲ ମାର୍କରେ ପାସ କରିବା ପରେ ବି ମିଳୁନି ଚାକିରି। ଓଡ଼ିଶାରେ ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି ପାଉଥିବାବେଳେ ବେକାର ସିଟି ଓ ବିଏଡ୍‌ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି। ବିନା ନିଯୁକ୍ତିରେ ହତାଶ ହୋଇ ଶେଷରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜରାସ୍ତାରେ କାନ ଧରି ସରକାରଙ୍କ ଉଦାସୀନତାର ପ୍ରତିବାଦ କରିଛନ୍ତି ସେମାନେ। ରାଜ୍ୟ ସରକାର ଗତ ୪ ବର୍ଷ ହେଲା ଜଣେ ହେଲେ ବି ଶିକ୍ଷକଙ୍କୁ ନିଯୁକ୍ତି ଦେଇ ନ ଥିବାବେଳେ ଏନେଇ ସରକାରଙ୍କ ନିକଟରେ ୩ ଦଫା ଦାବି ରଖି ଧାରଣା ଦେଇଛି ସିଟି ଓ ବିଏଡ୍‌ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ଖୁବଶୀଘ୍ର ନିଯୁକ୍ତି ସହ ସର୍ବାଧିକ ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିବା ଓ ବିନା ଏନ୍‌ଓସିରେ ଚାଲୁଥିବା ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ସଂଘ ଦାବି କରିଛି। ଆସନ୍ତା ବିଧାନସଭା ଅଧିବେଶନରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ନେଇ ସରକାର ଘୋଷଣା ନ କଲେ ଆଗାମୀ ଦିନରେ ଆତ୍ମାହୁତି ଦେବାକୁ ପଛାଇବେ ନାହିଁ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

Share