‘କାପୁରୁଷ ହେବା ନାହିଁ’

ସମଗ୍ର ପୃଥିବୀରେ କୋଭିଡ୍‌-୧୯ (କରୋନା ଭାଇରସ୍‌)ର ଭୟ ନାଗରିକଙ୍କ ମନରେ ଭର୍ତ୍ତି ହୋଇରହିଛି। ବିଶ୍ୱର ୧୯୩ ଦେଶରେ ଏହି ରୋଗ ଠାବ ହୋଇଥିବା ବେଳେ ଭାରତରେ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଦେଇଥିବା ଦୁଇଥର ବାର୍ତ୍ତାରେ କେତୋଟି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟକର୍ମୀ, ମ୍ୟୁନିସିପାଲିଟିର ସଫେଇ କର୍ମଚାରୀ, ଗଣମାଧ୍ୟମ ଏବଂ ପୋଲିସ ସମେତ ଘରୋଇ ସୁରକ୍ଷା କର୍ମଚାରୀଙ୍କୁ ସମ୍ମାନ ଜଣାଇବାକୁ ଦେଶବାସୀଙ୍କୁ ସେ ବାର୍ତ୍ତା ଦେଇଥିଲେ। ଗତ ୨୨ ମାର୍ଚ୍ଚ ଅପରାହ୍ନ ୫ଟାରେ ତାଳି, ଥାଳି ଓ ଘଣ୍ଟ ବଜାଇବା ପାଇଁ ଯେଉଁ ଡାକରା ଦିଆଯାଇଥିଲା ତାହାର ଉଦ୍ଦେଶ୍ୟ ଥିଲା ଏହି କର୍ମଚାରୀଙ୍କୁ ଉତ୍ସାହିତ କରିବା।
ଏହି ସମ୍ମାନ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ଉପରେ ଏକ ଗୁରୁଦାୟିତ୍ୱ ଲଦି ଦେଇଛି। ଯେମିତି ଡାକ୍ତରାଣୀ ଡାକ୍ତରଙ୍କ ସହିତ ନର୍ସ କିମ୍ବା ସଫେଇ କର୍ମଚାରୀ ଏବଂ ପୋଲିସ ନିଜ ଜୀବନକୁ ପାଣି ଛଡ଼ାଇ ଜନସେବାରେ ଲାଗି ରହିଛନ୍ତି, ସେମିତି ଗଣମାଧ୍ୟମ ସହିତ ସମ୍ପୃକ୍ତ ସବୁ ବ୍ୟକ୍ତି କରୋନା ଭୟରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବାର ଚେଷ୍ଟା କରୁଛନ୍ତି। ଆଜି ଭଳି ପରିସ୍ଥିତିରେ ଅନେକ ଗୁଜବ ଓ ଅସତ୍ୟ ଖବର ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପି ଆତଙ୍କ ଖେଳାଉଛି। ଏହାର ପ୍ରତିରୋଧ କେବଳ ମାତ୍ର ମେନ୍‌ଷ୍ଟ୍ରିମ୍‌ ଗଣମାଧ୍ୟମ କରିପାରିବ। ଦୁଃଖର ବିଷୟ ହେବ, ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀ ରୋଗୀର ସେବା କରିବାକୁ ମନା କରିଦିଅନ୍ତି। ଭାରତର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେଉଁମାନେ ନିଜର ଦାୟିତ୍ୱ ସମ୍ପନ୍ନ କରିବା ପରିବର୍ତ୍ତେ ପଛଘୁଞ୍ଚା ଦେଉଛନ୍ତି, ସେମାନଙ୍କୁ ଏ ସମାଜ ସବୁବେଳେ କାପୁରୁଷ ବା ଭୀରୁ ଭାବେ ଦେଖିବ। ଯେମିତି ଜଣେ ନର୍ସ ନିଜ ସୁରକ୍ଷାକୁ ନ ଦେଖି ରୋଗୀର ସେବା କରୁଛନ୍ତି, ସେହିଭଳି ଗଣମାଧ୍ୟମରେ ଯେଉଁ କର୍ମଚାରୀ ଓ ବିତରକ ବନ୍ଧୁ ନିଜର ସୁବିଧା ପରିବର୍ତ୍ତେ ଦେଶ ଓ ଜାତିକୁ ଗୁରୁତ୍ୱ ଦେଇ ସତ୍ୟ ଖବର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ସେମାନଙ୍କୁ ଓଡ଼ିଶାବାସୀ ସବୁବେଳେ ସମ୍ମାନର ସହ ଦେଖିବେ। ‘ଧରିତ୍ରୀ’ ସବୁବେଳେ ଆପଣଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବା ପାଇଁ ବଦ୍ଧପରିକର। ଏହି ସମୟରେ ଦାୟିତ୍ୱରୁ ନିବୃତ୍ତ ରହି କାପୁରୁଷ ହେବା ନାହିଁ।

-ତଥାଗତ ସତପଥୀ

Share