Categories: ଗଞ୍ଜାମ

କାମଦେଲା ଉପ ଜିଲାପାଳଙ୍କ ନିର୍ଦ୍ଦେଶ: ଜବରଦଖଲ ଉଚ୍ଛେଦ, ଡ୍ରେନ୍‌ ସଫା ଆରମ୍ଭ

ଭଞ୍ଜନଗର,୨୫।୬(ଡି.ଏନ.ଏ.)- ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କିଛିମାସ ହେଲା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତଥାପି ଏନ୍‌ଏସି ପ୍ରଶାସନ ଏହାର ସୁଧାର ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିଲେ। ଗତ ୩ ତାରିଖରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ କେତକ ୱାର୍ଡ଼ ପରିଦର୍ଶନ କରି ପରିମଳ ସ୍ଥିତି ପରଖିଥିଲେ। ୭ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ସହ ଡ୍ରେନ ସଫେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏନ୍‌ଏସି କର୍ତ୍ତୃପକ୍ଷ ନାମକୁ ମାତ୍ର କିଛି କାମ କରି ଛାଡି ଦେଇଥିଲେ। ଇତିମଧ୍ୟରେ ବର୍ଷା ହେବାରୁ ଅଧିକାଶଂ ଡ୍ରେନରୁ ମଇଳା ବାହାରି ରାସ୍ତାରେ ଭାସିଥିଲା ଓ ଏହି ଖବର ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଥିଲା। ଉପ ଜିଲାପାଳ ପୁଣି ବିଭାଗୀୟ ଅଧିକାରୀଙ୍କୁ ଡାକି ସଫେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ତାଗିଦ୍‌ କରିଥିଲେ। ଫଳରେ ସୋମବାର ୱାର୍ଡ଼ ନଂ.୮, ୯, ୬ ସମେତ ପ୍ରମୁଖ ୱାର୍ଡ଼ରେ ହିଟାଚି ମେଶିନ ଦ୍ୱାରା ସଫେଇ ଆରମ୍ଭ ହୋଇଛି। ସଫେଇବେଳେ କେଉଁଠି ଜବରଦଖଲ ହେବାର ନଜରକୁ ଆସିଲେ ତାହାକୁ ତୁରନ୍ତ ଉଚ୍ଛେଦ କରାଯାଉଛି। ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ ଚାଲିଛି।