କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୯ ଲକ୍ଷ ମାଟିରେ ମିଶିଲା

ମନମୁଣ୍ଡା, ୧୩।୬ (ଡି.ଏନ.ଏ.) – ବୌଦ୍ଧ ଜିଲା କଙ୍କାଳି ପାହାଡ ତଥା ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ରତାଖଣ୍ଡି, କଲରାଝୁଲି, ହାତୀପାଲି ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ । ଏହି ଅଞ୍ଚଳ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଥିବାରୁ ଉକ୍ତ ପାହାଡର ଉତ୍ତର ଦିଗ କଲରାଟୁଲି ମୌଜାରେ ଜଳସମ୍ପଦ ବିଭାଗ ତରଫରୁ ୨୦୧୪-୧୫ରେ ୧୯ ଲକ୍ଷ ୯୫୧ ଟଙ୍କା ବ୍ୟୟ ଅଟକଳରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଥିଲା। ବିଭାଗ ତରଫରୁ ଉକ୍ତ ସ୍ଥାନରେ ମରାମତି, ମୃତ୍ତିକା ଖନନ ଓ ପୁନରୁଦ୍ଧାର କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଏହା ପାଖରେ ଥିବା ପ୍ରାୟ ୫୦ ଏକର ଜମିକୁ ଋତୁ ସମୟରେ ଜଳସେଚନର ବ୍ୟବସ୍ଥା କରାଯିବା। କିନ୍ତୁ ତାହା ସଫଳ ହୋଇପାରି ନାହିଁ। ଚାଷୀ ଲଳିତ କହଁର, ରାମ ବାଘ, ଘନଶ୍ୟାମ ମଲିକଙ୍କ ପ୍ରାୟ ୫ ଏକର ଜମିକୁ ଦରକାର ବେଳେ ଜଳସେଚନ ହୋଇପାରୁଥିବା ବେଳେ ଅନ୍ୟମାନେ ସେଥିରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ପ୍ରକଳ୍ପ ଯେତେ ଗଭୀର ଖନନ ହେବା କଥା ହୋଇ ନ ଥିବା ଜାଣିବାକୁ ମିଳିଛି। ବର୍ଷା ପାଣି ଦ୍ୱାରା କେବଳ ସେଠାରେ ଜଳ ଗଚ୍ଛିତ ହେଉଛି। ପାହାଡର ପାଦଦେଶରେ ପ୍ରକଳ୍ପ ରହିଛି। ପାହାଡର ବର୍ଷା ପାଣିକୁ ପ୍ରକଳ୍ପ ମଧ୍ୟକୁ ଆଣିବାର ସୁବିଧା ଥିଲେ ମଧ୍ୟ ତାହା କରାଯାଇ ନ ଥିବାରୁ ପାଣି ସବୁ ତେଲନଦୀକୁ ଅଯଥା ବୋହି ଯାଉଛି। ପାହାଡର ଦକ୍ଷିଣ ପାର୍ଶ୍ୱକୁ ଉକ୍ତ ପ୍ରକଳ୍ପ କରାଯାଇଥିଲେ ତହିଁରେ ପ୍ରଚୁର ଜଳ ଗଚ୍ଛିତ ରହିପାରିଥାନ୍ତା ଓ ୫୦ ଏକର ଜମିକୁ ସହଜରେ ଜଳସେଚନ ହୋଇ ପାରିଥାନ୍ତା ବୋଲି ସ୍ଥାନୀୟ ଚାଷୀ ନିରଞ୍ଜନ କର୍ଣ୍ଣ କହିଛନ୍ତି । କିନ୍ତୁ ଜଳ ସମ୍ପଦ ବିଭାଗ ଜଳସେଚନ ବ୍ୟବସ୍ଥା ନାଁରେ ପ୍ରକଳ୍ପ କରି ଅଯଥା ୧୯ ଲକ୍ଷ ଟଙ୍କା ବରବାଦ କଲେ ଯାହା କାମକୁ ଆସୁନାହିଁ ବୋଲି ସ୍ଥାନୀୟ ଚାଷୀ ମହଲ ପ୍ରକାଶ କରିଛନ୍ତି। ଏତେଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଉକ୍ତ ପ୍ରକଳ୍ପ ବର୍ଷା ଦିନ ବ୍ୟତୀତ ଅନ୍ୟ ସମୟରେ ଶୁଷ୍କ ରହୁଛି। ଏହାର ପାଣି ଚାଷ ଛଡା ଅନ୍ୟ କାମରେ ଲାଗି ପାରୁନାହିଁ। ଖରାରେ ଜଙ୍ଗଲର ଜୀବଜନ୍ତୁ ପିଇବା ପାଇଁ ପାଣି ବୁନ୍ଦାଏ ପାଉନାହାନ୍ତି। ଉକ୍ତ ପ୍ରକଳ୍ପରେ ଆହୁରି ମାଟି କାମ କଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି। ଏ ନେଇ ଆସିଷ୍ଟାଣ୍ଟ ଇଂ. ଦୁର୍ଯ୍ୟୋଧନ ବେହେରାଙ୍କୁ ପଚାରିବାରୁ ଚାଷୀମାନେ ଲିଖିତ ଅଭିଯୋଗ କଲେ ଆମେ ବିଭାଗକୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଥିଲେ।