କାମରେ ଆସୁନି ଡାଇଭର୍ସନ ରାସ୍ତା

ଡାବୁଗାଁ,୧।୮(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୨୦୦ ମିଟର ଦୂର ୩୯ ନଂ ରାଜ୍ୟ ରାଜପଥର ଅଙ୍ଗୀ ନଦୀ ଉପରେ ପୂର୍ତ୍ତ ବିଭାଗ ତରଫରୁ ଚାଲିଛି ପୋଲ ନିର୍ମାଣ। ଲୋକମାନଙ୍କ ଯାତାୟାତ ପାଇଁ ପକ୍କା ଡାଇଭର୍ସନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗର ଟେଣ୍ଡରରେ ନିୟମ ରହିଛି । ପକ୍କା ଡାଇଭର୍ସନ ନକରି ଠିକାଦାର ନଦୀ ଗର୍ଭରେ ମାଟି ପକାଇ ଏହା ତିଆରି କରିଛନ୍ତି। ଯାହାକି ସ୍ଥାୟୀ ଭାବେ ରହୁନାହିଁ । ସ୍ବଳ୍ପ ବର୍ଷା ହେଲେ ଧୋଇ ହୋଇଯାଉଛି । ୩ ଦିନ ହେଲା ଲଗାଣ ବର୍ଷାରେ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଡାଇଭର୍ସନକୁ ଲାଗି ଅଙ୍ଗୀ ନଦୀ ପୋଲ ନିର୍ମାଣର ଶେଷ ପର୍ଯ୍ୟାୟରେ ପୋଲକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ୨୦ ରୁ ୨୫ ଫୁଟ ଉଚ୍ଚତା ରହିଛି । ଏଥିରେ ମୋରମ ପରିବର୍ତ୍ତେ ବାଲିଆ ମାଟି ପକାଯାଇଥିବାରୁ ବର୍ଷା ହେଲେ ଧୋଇ ହୋଇ ଡାଇଭର୍ସନ ରାସ୍ତା ଉପରକୁ ଆସି ମାଟି ଜମା ହେଉଛି । ଉକ୍ତ ରାସ୍ତା ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ସମେତ ଛତିଶଗଡକୁ ସଂଯୋଗ କରୁଛି ।ଡାଇଭର୍ସନ ରାସ୍ତା ଏଭଳି ତିଆରି ହୋଇଛି ଯେ ଗୋଟିଏ ପାର୍ଶ୍ୱରୁ ଗାଡି ଚଳାଚଳ ହେଲେ ବିପରୀତ ଦିଗରୁ ଆସୁଥିବା ଗାଡି ଗୁଡିକ ଦେଖାଯାଉନାହିଁ । ୨ ପାର୍ଶ୍ୱରୁ ଗାଡିମୋଟର ଆସି ସିଧାସଳଖ ନଦୀର ପୁରୁଣା ପୋଲ ଉପରେ ସାମ୍ନାସାମ୍ନି ହେଉଛନ୍ତି । ଏହି ଡାଇଭର୍ସନ ରାସ୍ତା ଦେଇ ଉମରକୋଟ, ଡାବୁଗାଁ ପଟୁ ବସ, ଟ୍ରକ ଓ ଛୋଟଛୋଟ ଗାଡି ମୋଟର ନବରଙ୍ଗପୁର ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଗାଡି ଦେଖାଯାଉନାର୍ହି। ଯାହା ଫଳରେ ଦୁର୍ଘଟଣାର ସାମ୍ନା ହେବାକୁ ପଡୁଛି। ଡାବୁଗାଁରେ ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଥାଇ ମଧ୍ୟ ବିଭାଗୀୟ ଅଧିକାରୀମାନେ ନବରଙ୍ଗପୁର ଏବଂ ଜୟପୁର ଠାରୁ ୭ ଦିନରେ ଥରେ ଆସୁଛନ୍ତି। କାର୍ଯ୍ୟର ତଦାରଖ ଯନ୍ତ୍ରୀ କିଭଳି କରୁଛନ୍ତି ତାହା ଉକ୍ତ ଡାଇଭର୍ସନ ରାସ୍ତାକୁ ଦେଖିଲେ ଜଣାପଡୁଛି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Share