କାମରେ ଆସୁନି ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁରରେ ୨୦୧୫-୧୬ ଆର୍ଥିକ ବର୍ଷରୁ ନିର୍ମିତ ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବେ ଜନୈକ ବ୍ୟକ୍ତିଙ୍କ କବ୍‌ଜାରେ ରହିଥିବା ଅଭିଯୋଗ ହୋଇଛି। ସୋମବାର ମକୁନ୍ଦପୁର ଗ୍ରାମବାସୀ ଏ ନେଇ ଲିଖିତ ଭାବେ ପ୍ରାଣୀ ଚିକିତ୍ସା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗାଁର ଲାଲ ବିହାରୀ କୁଅଁର, ଉତ୍ତର ନାଗ, ଉକିଲ ନନ୍ଦ, ଗଗନ ସ୍ବାଇଁ, ମଗଶିର ବାଗ, ଲମ୍ବୋଦର ସାହୁ, ମାୟାଧର ନାଏକ, ମିତ୍ରଭାନୁ ନାଏକ, ରମେଶ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଏହି ସହାୟକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ ହୋଇପଡି ରହିଛି ା କୌଣସି ଅଧିକାରୀ କେବେ ହେଲେ ଏଠାକୁ ଆସୁ ନାହାନ୍ତି। ଏହାର ସୁଯୋଗ ନେଇ ଜଣେ ବ୍ୟକ୍ତି ଏଠାରେ ଅନାଧିକାରଭାବେ ବାସ କରୁଛନ୍ତି ା ମକୁନ୍ଦପୁର, ପୁରୁନାପାନି ଗାଁର ଚାଷୀଙ୍କ ପଶୁର ଚିକିତ୍ସା ଉଦ୍ଦେଶ୍ୟରେ ଏହି ଏଲଆଇ ସେଣ୍ଟର ସ୍ଥାପିତ ହୋଇଥିବା ବେଳେ ଜବରଦଖଲକୁ ନେଇ ବିଭାଗୀ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଦେଓଗାଁ ପ୍ରାଣୀଧନ ଚିକିତ୍ସକ ଡା.ଶମ୍ଭୁ ପ୍ରସାଦ ସାହୁଙ୍କୁ ଯୋଗାଯୋଗ କରିବାରୁ ଗାଁଲୋକ ଏନେଇ ଜିଲା ଅଫିସରେ ଅଭିଯୋଗ କରିଥିବା ସୂଚନା ପାଇଛି। ମଙ୍ଗଳବାର ଗାଁକୁ ଯାଇ ତଦନ୍ତ କଲା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ା