ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍ଗେଟ୍ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ ନିର୍ମିତ ଏହି ସ୍ଲୁଇସ୍ଗେଟ୍ କଞ୍ଚୁଡ଼ି ନଦୀର ଜଳକୁ ଗଚ୍ଛିତ ରଖି ଅଞ୍ଚଳର ସୁଗୋ, ଏଡତାଳ, ପଦ୍ମପୁର ପଞ୍ଚାୟତର ଚାଷଜମିକୁ ବର୍ଷା ନ ଥିବାବେଳେ ଜଳ ଯୋଗାଇଥାଏ। ଚଳିତବର୍ଷ ବିଳମ୍ବିତ ମୌସୁମୀ ସହ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଞ୍ଚଳରେ ଧାନତଳି ମରିଯିବା ସହ ହଳ ହୋଇଥିବା ଚାଷଜମି ଶୁଖି ଫାଟିଗଲାଣି। ଏଭଳି ସ୍ଥିତିରେ ସ୍ଲୁଇସ୍ ଗେଟ୍ର ଲୁହା କବାଟ କଳଙ୍କି ଲାଗି ଫୁଟିଯିବା କାରଣରୁ କଞ୍ଚୁଡି ନଦୀର ପ୍ରବାହିତ ଜଳକୁ ଅଟକାଇ ଜଳସେଚନ କାର୍ଯ୍ୟରେ ଲଗାଯାଇ ପାରୁନାହିଁ। କଞ୍ଚୁଡ଼ି ନଦୀରୁ ଆସୁଥିବା ଜଳ ସିଧା ମନ୍ତେଈ ନଦୀରେ ପ୍ରବାହିତ ହୋଇ ବଙ୍ଗୋପସାଗରକୁ ଚାଲି ଯାଉଛି। ଫଳରେ ହଜାର ହଜାର ଚାଷୀ ଜଳ ଅଭାବରୁ ଚାଷ କରି ନ ପାରି ହାତବାନ୍ଧି ବସିଛନ୍ତି। ଏ ସମ୍ପର୍କରେ ପଦ୍ମପୁର ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶାର ଆଲୋକ, ପଦ୍ମପୁର ସୁଗୋ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ମନୋଜ ରାୟ, ଗଜେନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ହୃଷୀକେଶ ନାୟକ, ନରେଶ ଦାସ, ଅମୂଲ୍ୟ ନାୟକ, ସୁବାସ ନାୟକ, ଚିନ୍ତାମଣି ବଳ ପ୍ରମୁଖ ଜିଲାପାଳଙ୍କୁ ତୁରନ୍ତ ସ୍ଲୁଇସ୍ଗେଟ୍ ମରାମତି ପାଇଁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।