Advertisement

କାମରେ ଲାଗୁନି ଏନଏସିର ଭେଣ୍ଡିଂ ଜୋନ୍‌

ଚମ୍ପୁଆ,୨୫ା୧(ଡି.ଏନ.ଏ)- ଚମ୍ପୁଆ ଏନଏସି ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ ଓ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ନିମନ୍ତେ ବର୍ଷେ ତଳେ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନ୍‌ ଅଦ୍ୟାବଧି ଖୋଲି ପାରି ନାହିଁ। ଫଳରେ ଉଠା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଚମ୍ପୁଆ-ଯୋଡ଼ା ରାସ୍ତାରେ ପ୍ରାୟ ୧୫ଟି ଭେଣ୍ଡିଂ ଜୋନ୍‌ ବ୍ୟବସାୟଙ୍କ ପାଇଁ ନିର୍ମିତ ହୋଇଥିଲା। ଏ ବାବଦକୁ ଆବେଦନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ଲଟେରୀ ମାଧ୍ୟମରେ ୧୫ ଜଣଙ୍କୁ ଚୟନ କରାଯାଇ ଭେଣ୍ଡିଂ ଜୋନ୍‌ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଦୋକାନ ଗୃହ ବାବଦକୁ ୪୦ ହଜାର ଟଙ୍କା ଲେଖାଏଁ ଅମାନତ ଅର୍ଥ ବ୍ୟାଙ୍କ ଡ୍ରାଫ ମାଧ୍ୟମରେ ଗ୍ରହଣ କରାଯାଇଥିଲା। ଦୋକାନୀମାନଙ୍କୁ ତୁରନ୍ତ ଗୃହ ପ୍ରଦାନ ପାଇଁ ଅନୁବନ୍ଧିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଉକ୍ତ ଭେଣ୍ଡିଂ ଜୋନ୍‌ ଆଗରେ କ୍ଷୁଦ୍ର ଜଳସେଚନ ବିଭାଗର କେନାଲ ଯାଇଥିବା ତଥା ତାହା ଭଗ୍ନ ଅବସ୍ଥାରେ ପଡି ରହିଥିବାରୁ ଦୋକାନୀମାନେ ତାହା ତୁରନ୍ତ ମରାମତି କରାଗଲେ ଅନୁବନ୍ଧିତ କରାଯିବ ବୋଲି ଦାବି କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ କେନାଲ ମରାମତି ନ ହେବାରୁ ଦୋକାନୀମାନେ ଅନୁବନ୍ଧିତ କରିବାକୁ ରାଜି ହେଉ ନ ଥିବା ଜଣାପଡ଼ିଛି। ପ୍ରଶ୍ନ ଉଠେ ଦୀର୍ଘ ଏକ ବର୍ଷ ହେବ ଭେଣ୍ଡିଂ ଜୋନ୍‌ ନିର୍ମାଣ ପରେ ମଧ୍ୟ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ ପାଲଟିଛି। ଅନ୍ୟପକ୍ଷେ ଦୋକାନୀମାନେ ଦୋକାନ ଖୋଲି ନ ପାରିବାରୁ ତାଙ୍କୁ ପରିବାର ପ୍ରତିପୋଷଣର ଚିନ୍ତା ଘାରି ଥିବା ଜଣାଯାଇଛି। ଏ ନେଇ ଭାରପ୍ରାପ୍ତ ଏନଏସି ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀଙ୍କୁ ପଚାରିବାରୁ ଉକ୍ତ କେନାଲ ପାଇଁ ଦୋକାନ ଗୁଡିକ ଖୋଲାଯାଇ ପାରୁ ନାହିଁ। ଏଦେଇ ଫଣ୍ଡ ନ ଥିବାରୁ ଆମ୍ଭେ ଏହାର ମରାମତି କରିପାରୁ ନ ଥିଲୁ। ମାତ୍ର ଏବେ ଫଣ୍ଡ ଆସି ଯାଇଥିବାରୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେଇ କେନାଲ ନିର୍ମାଣ ସହିତ ଦୋକାନୀଙ୍କୁ ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel