କାମରେ ଲାଗୁନି ଜମି ପଟ୍ଟା: ତହସିଲ ଆଗରେ ଭୂମିହୀନଙ୍କ ଧାରଣା

ବାଲିଆ,୫ା୧୨: ବିରିଡ଼ି ତହସିଲ ଅଧୀନ କୁଳକଇଜଙ୍ଗା ପଞ୍ଚାୟତ ସମେତ ଅନ୍ୟ କେତେକ ପଞ୍ଚାୟତର ଭୂମିହୀନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ମାତ୍ର ସେହି ପଟ୍ଟା ଏବେ ସେମାନଙ୍କ କୌଣସି କାମରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ତେଣୁ ଏହାର ପ୍ରତିବାଦରେ ସେମାନେ ବୁଧବାର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିରେ ବହୁ ସଂଖାରେ ଭୂମିହୀନ ଯୋଗଦେଇ ତହସିଲ ପ୍ରଶାସନର ବେପରୁଆ ମନୋଭାବକୁ ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ଠିକ ଜମି ପଟ୍ଟା ଯୋଗାଇବା ସହିତ ଜମି ଚିହ୍ନଟ କରିବାକୁ ଦାବି କରିଥିଲେ। କୁଳକଇଜଙ୍ଗ ସମିତିସଭ୍ୟ ରାଜକିଶୋର ଭୋଇ ଓ ପ୍ରକାଶ ଦାସଙ୍କ ନେତୃତ୍ୱରେ ବୁଲୁ ଭୋଇ, ରଞ୍ଜନ ଭୋଇ, ମୁନା ସିଂ, ନିରଞ୍ଜନ ସାମଲ, ସସ୍ମିତା ଭୋଇ, ସଂଜୟ ସିଂ, ସିତା ସିଂ, ଲକ୍ଷ୍ମୀ ସିଂ, ଗୀତା ଭୋଇ, କୁନି ସାମଲଙ୍କ ସମେତ ଶତାଧିକ ଭୂମିହୀନ ଯୋଗଦେଇ ପ୍ରତିବାଦ କରିଥିଲେ। ସେମାନେ କହିଥିଲେ, ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ଥାନ ଅନଲାଇନରେ ବାହାରୁ ନ ଥିବାରୁ ସେମାନଙ୍କ ପିଲା ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ପାଇ ପରୁ ନାହାନ୍ତି। ତେଣୁ ଏହାର ତୁରନ୍ତ ସୁବିଚାର କରିବାକୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ଉପରେ ତହସିଲଦାର ତୁରନ୍ତ ପଦକ୍ଷପ ନେବେ ବୋଲି ପ୍ରତଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Share