କାମରେ ଲାଗୁନି ବରିପାଳ ଫରେଷ୍ଟ ବିଟ୍‌

ଘସିପୁରା,୧୬।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲାରେ କାଠ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବନ ସମ୍ପଦ ଉଜଡ଼ିବାରେ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସଫେଇ ଦିଆଯାଉଛି। ଏହି ଜିଲାର ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡରେ ବ୍ୟାପକ ଜଙ୍ଗଲ ରହିଥିଲେ ମଧ୍ୟ ଏହାର ସୁରକ୍ଷା ଠିକ୍‌ ଭାବେ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଏହି ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଦେଓଗାଁ ରେଞ୍ଜର ବରିପାଳ ଫରେଷ୍ଟ ବିଟ୍‌ ରହିଛି। ସେଠାରେ କୌଣସି କର୍ମଚାରୀ ପାଦ ପକାଉ ନ ଥିବାରୁ ଏବେ ଏହା ଭୂତକୋଠି ପାଲଟିଥିବା ଲୋକେ ଅଭିଯୋଗ କରୁଛନ୍ତି।
ଉଲ୍ଲେଖନୀୟ ଯେ, ୨୦୦୩ରେ ଆନନ୍ଦପୁରକୁ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳର ମାନ୍ୟତା ମିଳିଲା। ଏହାର ଦୀର୍ଘ ବର୍ଷ ପୂର୍ବରୁ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ବିଟ୍‌ ଓ ଚେକନାକା ପଏଣ୍ଟମାନ ଖୋଲା ଯାଇ ବନ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବରିପାଳଠାରେ ସେ ସମୟରୁ ଏହି ବିଟ୍‌ ଖୋଲାଯାଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ବିଟ୍‌ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଟ୍‌ରେ ରହିବାଠାରୁ ନଳକୂପ ବସାଯିବା ସାଙ୍ଗକୁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଦେଓଗାଁ ରେଞ୍ଜ ମୁଖ୍ୟ କାର୍ଯ୍ୟାଳୟର ମାତ୍ର ୮କି.ମି. ଦୂରରେ ଥିବା ଏହି ବିଟ୍‌ ରେବଣା ଓ ଅଟେଇ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏଠାରେ ବିଟ୍‌ ଓ ଚେକନାକା ପଏଣ୍ଟ ବନ୍ଦ ଥିବାରୁ କାଠଚୋରମାନେ ଏହାର ଭରପୂର ସୁଯୋଗ ଉଠାଉଛନ୍ତି । ସେମାନେ ଜଙ୍ଗଲରୁ ଦୈନିକ ଗଛ କାଟି କାଠ ଓ ଅନ୍ୟ ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟ ବେଧଡ଼କ ଭାବେ ଚୋରାଚାଲାଣ କରୁଛନ୍ତି। ଏହା ଜିଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କାଠଚୋରଙ୍କ ମୁକାବିଲା ସମ୍ଭବ ହେଉ ନ ଥିବା କୁହାଯାଉଛି। ଉଭୟ ପୋଲିସ ପ୍ରଶାସନ ଓ ବନ ବିଭାଗର ମିଳିତ ଉଦ୍ୟମରେ ଏହି ବିଟ୍‌କୁ କାର୍ଯ୍ୟକ୍ଷମ କରାଯିବା ସହ ପାଟ୍ରୋଲିଂ ଓ ଚେକିଂ କାର୍ଯ୍ୟ କରାଯିବା ସକାଶେ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ହେଲେ ଏଥିପ୍ରତି କାହାର ନଜର ପଡୁ ନ ଥିବା ପରିବେଶବିତ ଯୁବରାଜ ଜେନା କହିଛନ୍ତି। ଏ ସମ୍ପର୍କରେ ରେଞ୍ଜର ସୁରେନ୍ଦ୍ର ହେମ୍ବ୍ରମଙ୍କୁ ପଚାରିବାରୁ ବିଟ୍‌ରେ ଆବଶ୍ୟକ ଗାର୍ଡ ପଦବୀ ଖାଲି ପଡିଥିବାରୁ ସମସ୍ୟା ଉପୁଜିଥିବା କହିଛନ୍ତି।