କାମରେ ଲାଗୁନି ବ୍ରିଟିଶ ଅମଳର ଚେକ୍‌ଡ୍ୟାମ

ବନ୍ତ, ୨୪ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ବ୍ରିଟିଶ ଅମଳରେ ନିର୍ମିତ ଚେକ୍‌ଡ୍ୟାମ୍‌(ଦେଶବନ୍ଧ) ଏବେ ଆଉ ପୂର୍ବଭଳି ଚାଷୀଙ୍କ କାମରେ ଲାଗୁନି। ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ହୋଇ ନ ପାରିବାରୁ ଏହା ନଷ୍ଟ ହେବାକୁ ବସିଛି। ଚାଷଜମିକୁ ପାଣି ମାଡ଼ୁନଥିବା ବେଳେ ଏବେ ଏହି ସ୍ଥାନରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ଦେଖିବାକୁ ମିଳୁଛି।
ବନ୍ତ ବ୍ଲକ ଗଣିଜାଙ୍ଗ-ଜାମ୍ବବଣି ଭାୟା ବିନାୟକପୁର ରାସ୍ତା ତଥା ଗଣିଜାଙ୍ଗ ବଜାରଠାରୁ ୫ ଶହ ମିଟର ଦୂରରେ ସରୁସାଗର ନଦୀ ଉପରେ ଆଖପାଖ ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ଏହି ଚେକ୍‌ଡ୍ୟାମ୍‌ ନିର୍ମାଣ ହୋଇଥିଲା। ଯାହାକି ଦେଶବନ୍ଧ ନାମରେ ପରିଚିତ। ଏହି ବନ୍ଧରେ ୩ଟି ଫୁକାର(ସ୍ଲୁଇସ୍‌ ଗେଟ୍‌) ଥିବା ବେଳେ ଏହାକୁ ଶଟର ମାଧ୍ୟମରେ ବନ୍ଦ କରାଯାଇ ନଦୀର ବାମପାର୍ଶ୍ୱ(ପୂର୍ବଦିଗ)ରେ ଅବସ୍ଥିତ ୨ଟି ସ୍ଲୁଇସ ଗେଟ୍‌ରେ ଗଚ୍ଛିତ ପାଣିକୁ ଚାଷଜମିକୁ ଛଡାଯାଇଥାଏ । ଏହି ବନ୍ଧ ନିର୍ମାଣ ଫଳରେ ଗଣିଜାଙ୍ଗ ପଞ୍ଚାୟତର ବିନାୟକପୁର, ସେଠୀସାହି, ମଳିକସାହି, ଗଣିଜାଙ୍ଗ, ହାସିନପୁର, ଭଦ୍ରକ ବ୍ଲକର ବରପଦା, ଅବଦୁଲାପୁର, କୋରଣ୍ଟ, ଓଲଙ୍ଗ, ମୁଣ୍ଡିମରା ଏବଂ ଓଡଙ୍ଗ, ଛୟାଳସିଂ ମୌଜାର ଶହ ଶହ ଏକର ଚାଷଜମି ଜଳସେଚିତ ହୋଇପାରୁଥିଲା। ଚାଷୀମାନେ ବେଶ୍‌ ଉପକୃତ ହୋଇପାରୁଥିଲେ । କାରଣ ସେତେବେଳେ କେନାଲ ବ୍ୟବସ୍ଥା ନ ଥିଲା। ଗତ ୪୦ବର୍ଷ ହେବ ଉକ୍ତ ବନ୍ଧର ରକ୍ଷଣାବେକ୍ଷଣ କରାଯାଉନାହିଁ । ଫୁକାରରେ ଥିବା ଶଟରଗୁଡ଼ିକ ନଷ୍ଟ ହୋଇଯିବା ଫଳରେ ଚାଷଜମିକୁ ଆଉ ପାଣି ମାଡ଼ିପାରୁନାହିଁ। ବର୍ତ୍ତମାନ ଉକ୍ତ ସ୍ଥାନରେ ମତ୍ସ୍ୟଜୀବୀମାନେ କେବଳ ମାଛ ଧରି ଜୀବିକା ନିର୍ବାହ କରୁଥିବା ଦେଖାଯାଇଛି। ବ୍ରିଟିଶରଙ୍କ ଦ୍ୱାରା ନିର୍ମିତ ଏହି ଚେକ୍‌ଡ୍ୟାମ୍‌ ଏବେ ଲୁପ୍ତ ହେବାକୁ ବସିଥିବା ବେଳେ ଏହାର ପୁନରୁଦ୍ଧାର କରାଯାଇପାରିଲେ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରନ୍ତେ ବୋଲି ହାସିନପୁର ଗ୍ରାମର ଚାଷୀ ନାଗେଶ୍ୱର ସେଠୀ, ମଥୁରା ସେଠୀ, ରଘୁନାଥ ଦାସ, ମଧୁସୂଦନ ସେଠୀ କହିଛନ୍ତି । ଏ ସମ୍ପର୍କରେ ଭଦ୍ରକ ଡ୍ରେନେଜ ଡିଭିଜନର କନିଷ୍ଠଯନ୍ତ୍ରୀ ଶଙ୍କର୍ଷଣ ମଣ୍ଡଳଙ୍କୁ ପଚାରିବାରୁ ଚାଷୀମାନେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଉକ୍ତ ସ୍ଥାନରେ ନୂତନ ଚେକ୍‌ଡ୍ୟାମ୍‌ ଓ ସ୍ଲୁଇସ୍‌ ଗେଟ ହୋଇପାରିବ ବୋଲି କହିଥିଲେ ।

Share