Advertisement

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି। ଯେଉଁ ଯୁବକ ଉକ୍ତ କାର୍ଯ୍ୟ ଯନ୍ତ୍ରୀଙ୍କ ଜରିଆରେ କରିଥିଲେ ତାଙ୍କୁ ମାତ୍ର ୧ଲକ୍ଷ ଟଙ୍କା ବିଲ୍‌ ମିଳିଛି। ବଳକା ୧ଲକ୍ଷ ଟଙ୍କା ଦିଆଯାଇନାହିଁ। ସେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବା ସହ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଗୁହାରି କରି ନୟାନ୍ତ ହେଲେଣି, ହେଲେ ସୁଫଳ ମିଳୁନି। ଏବେ ମଜୁରୀ ପାଇଁ ତାଙ୍କ ଦୁଆରେ ଲୋକେ ବସୁଛନ୍ତି ବୋଲି ଠିକା କାର୍ଯ୍ୟ କରିଥିବା ଅରୁଣ ଦିଗାଳ କହିଛନ୍ତି। ଶ୍ରମିକ ମାନଙ୍କ ଅର୍ଥ ପରିଶୋଧ କରିବାକୁ ସେ ନିଜେ ଏବେ ଦାଦନ ଖଟିବାକୁ କେରଳ ଯିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି।
ଏନେଇ ଦାସିଂବାଡିର ଯନ୍ତ୍ରୀ ସରୋଜ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ମୁଣ୍ଡରୁ ଦୋଷ ଖସାଇ କହିଛନ୍ତି ଯେ, ପୂର୍ବରୁ ଯେଉଁ ଯନ୍ତ୍ରୀ ଉକ୍ତ କାର୍ଯ୍ୟର ତଦାରଖ କରୁଥିଲେ ସେହି ସମୟରେ ସେ ଉକ୍ତ କୋଠାର ଛାତ ପଡ଼ିବା ପୂର୍ବରୁ ଲୁହାରଡ଼ ବନ୍ଧା ଯାଉଥିବାବେଳେ ତାହାର ଫଟୋ ଉଠାଇନାହାନ୍ତି। ଏଣୁ ନିୟମ ପ୍ରକାରେ ଏହାର ତଦନ୍ତ କରାଯାଇ ବିଲ୍‌ ପୈଠ କରାଯିବାକୁ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟଯେ ଉକ୍ତ ଯୋଜନାରେ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୨ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ କାର୍ଯ୍ୟ ଶେଷ ହୋଇ ଦୀର୍ଘଦିନ ହେଲାଣି ଏହାର ବିଲ୍‌ ମିଳୁନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share