Categories: ଗଞ୍ଜାମ

କାମ ଦେବା ନାଁରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଗଞ୍ଜାମ,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ଗଞ୍ଜାମ ପୋଲିସ ନଂ. ୪୨/୧୯ରେ ମାମଲା ରୁଜୁ କରିଛି। ମହିଳାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛିି।
ଏତଲା ପ୍ରକାରେ, ଉକ୍ତ ଥାନା ଅଞ୍ଚଳର ମହିଳା ଜଣକ ସ୍ଥାନୀୟ ଏକ କମ୍ପାନୀରେ ଦିନ ମଜୁରିଆ ଭାବେ ବ୍ରହ୍ମପୁରର ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। କାମ ସରିଯିବା ପରେ ମହିଳା ଜଣକ ୨ ଦିନହେଲା ଘରେ ବସିଥିଲେ। ଗତ ବୁଧବାର ଠିକାଦାର କମ୍ପାନୀରେ କାମ କରୁଥିବା ଅନ୍ୟଜଣେ ମହିଳାଙ୍କ ଦ୍ୱାରା ଜଣେ ଉଚ୍ଚପଦସ୍ଥ ଅଧିକାରୀ ସମ୍ପୃକ୍ତା ମହିଳାଙ୍କୁ କାମ ଦେବେ ବୋଲି ଡାକିଥିଲେ। ପରେ ୨ଜଣ ମହିଳା ମିଶି ଅଧିକାରୀ ରହୁଥିବା କମ୍ପାନୀ କ୍ବାର୍ଟର୍ସକୁ ଯାଇଥିଲେ। ସେଠାରେ ଡାକି ନେଇଥିବା ମହିଳା ଉକ୍ତ ମହିଳାଙ୍କୁ ଛାଡ଼ି ଚାଲିଯାଇଥିଲେ। କମ୍ପାନୀ କର୍ମଚାରୀ ଜଣକ ସମ୍ପୃକ୍ତା ମହିଳାଙ୍କୁ ଘରକୁ ଆସ କିଛି ଅସୁବିଧା ନାହିଁ ବୋଲି କହିବାରୁ ମହିଳା ତାଙ୍କ କ୍ବାର୍ଟର୍ସକୁ ଯାଇଥିଲେ। କ୍ୱାର୍ଟର୍ସରେ କର୍ମଚାରୀ ମହିଳାଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ। ସେ ନ ଶୁଣିବାରୁ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏଥିସହ ଏହି ଘଟଣା ବାହାରେ ପ୍ରଘଟ ନ କରିବା ପାଇଁ ଧମକ ଦେଇଥିଲେ। ପରେ ସମ୍ପୃକ୍ତ ମହିଳା ଜଣକ ଘରକୁ ଯାଇ ସ୍ବାମୀ ଏବଂ ଗ୍ରାମରେ ସବୁ କଥା କହିଥିଲେ। ଶନିବାର ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏ ନେଇ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସଙ୍କୁ ପଚାରିବାରୁ ଦୁଇଦିନ ପରେ ଏତଲା ଦିଆଯାଇଥିବାରୁ ଘଟଣାର ସତ୍ୟତା ନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଅଭିଯୋଗ ସମ୍ପର୍କରେ କମ୍ପାନୀ କର୍ମଚାରୀ ଜଣଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି। ରାତି ପ୍ରାୟ ୯ଟାରେ ସ୍ଥାନୀୟ ଲୋକେ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ ଦାବିରେ କମ୍ପାନୀ ସମ୍ମୁଖରେ ହୋହଲ୍ଲା କରିଥିଲେ। ପୋଲିସ ପହଞ୍ଚତ୍ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।