କାମ ବନ୍ଦ କଲେ ଗ୍ରାମବାସୀ

ଡୁବୁରୀ,୩୧-୧(ଡିଏନଏ):ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତ ବେଲହୁଡ଼ିଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ସରକାରଙ୍କ ସମସ୍ତ ନୀତିନିୟମକୁ ଖୋଲା ଉଲ୍ଲଂଘନ କରି ବିନା ସୂଚନା ଫଳକରେ ଏହି ରାସ୍ତା କାର୍ଯ୍ୟ କରାଯାଉଥିବାରୁ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଫଳ ସ୍ବରୂପ ସରପଞ୍ଚଙ୍କ ନେତୃତ୍ୱରେ ଗଁା ଲୋକେ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଡୁବୁରୀ-ଚଣ୍ଡିଖୋଲ ଜାତୀୟ ରାଜପଥରୁ ବେଲହୁଡ଼ି ଗଁାକୁ ଏକ ପକ୍କା ସଡ଼କ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ ପାଇଁ ୨୦୧୭-୧୮ରେ ୬୫ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜୀବ ଲୋଚନ ସାହୁଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଅବଧି ଭିତରେ କାମ ସାରିବା ତ ଦୂରର କଥା, କାମ ଆରମ୍ଭ ମଧ୍ୟ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ଅବଧିକୁ ବୃଦ୍ଧି କରି ୨୦୧୯-୨୦ରେ କାମ କରିବାକୁ ଚୁକ୍ତି କରି ଗତ ସପ୍ତାହରେ କାମ ଆରମ୍ଭ କରିଛନ୍ତି। ହେଲେ ଦାୟିତ୍ୱରେ ଥିବା ଠିକାଦାର ଏଠାରେ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ବିନା ସୂଚନା ଫଳକରେ କାମ କରୁଛନ୍ତି। ଏହାଛଡ଼ା ଚୁକ୍ତି ଅନୁଯାୟୀ ଥିବା ବାଲି ସିମେଣ୍ଟ, କଂକ୍ରିଟ ଭାଗ ମାପରେ ନ କରି ଯେନତେନ ପ୍ରକାରେ କାମ ସାରିଦେବାକୁ ଚେଷ୍ଟା କରୁଥିବା ଗୋବରଘାଟି ସରପଞ୍ଚ ସ୍ବର୍ଣ୍ଣଲତା ବାନରା ଓ ଗ୍ରାମବାସୀ ଅଭିଯୋଗ କରି ବିରୋଧ କରୁଛନ୍ତି। ବିନା ସୂଚନା ଫଳକରେ କୌଣସି କାମ ହୋଇପାରିବ ନାହଁି ବୋଲି ସରକାରୀ ନିୟମ ଥିଲେ ମଧ୍ୟ ୭ଦିନ ହେଲା ସେ କିପରି କାମ କଲେ, ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତା’ଛଡା ପୁରୁଣା କଂକ୍ରିଟ ଉପରେ ରାସ୍ତା ନିର୍ମାଣ ପାଇଁ ଅତିକମ୍‌ରେ ୪ଇଞ୍ଚ ଢଲେଇ ଥିବାବେଳେ ଠିକାଦାର ଯଥେଷ୍ଟ କମ୍‌ରେ ଏହି କାମ କରୁଥିବା ଗଁା ଲୋକେ ଅଭିଯୋଗ କରି ଗୁରୁବାର କାମ ବନ୍ଦ କରିଦେବା ସହ ଦାୟିତ୍ୱରେ ଥିବା ଡୁବୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଡକାଇ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ତୁରନ୍ତ ସୂଚନା ଫଳକ ମାରିବା ସହ ଠିକ ଢଙ୍ଗରେ କାର୍ଯ୍ୟ କରିବାକୁ ତାଗିଦ କରାଯାଇଥିବା କହିଛନ୍ତି।