Categories: ଜାତୀୟ

କାରଗିଲ୍‌ ଯୁଦ୍ଧ ସମୟରେ ଭାରତକୁ ବିକ୍ରି କରାଯାଇଥିଲା ୩୦ ବର୍ଷ ପୁରୁଣା ଗୋଳାବାରୁଦ: ଭି.ପି. ମଲ୍ଲିକ

ନୂଆଦିଲ୍ଲୀ,୧୪।୧୨: କାରଗିଲ୍‌ ଯୁଦ୍ଧ ସମୟରେ ଭାରତ ବିଭିନ୍ନ ଅସ୍ତ୍ରଶସ୍ତ୍ର ପାଇଁ କିଛି ମିତ୍ର ଦେଶଙ୍କ ଉପରେ ଭରସା କରିଥିଲା। ଏହି ସମୟରେ ଅନ୍ୟ କେତେକ ଦେଶରୁ ବିଭିନ୍ନ ଯୁଦ୍ଧ ସରଞ୍ଜାମ କିଣାଯାଇଥିଲା। ତେବେ ପ୍ରତିଟି ଦେଶ ଭାରତ ଅସୁବିଧାରେ ପଡ଼ିଥିବା ଦେଖି ଏହାର ଫାଇଦା ଉଠାଇଥିଲେ ବୋଲି ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.ପି. ମଲ୍ଲିକ ଚଣ୍ଡିଗଡ଼ରେ ଆୟୋଜିତ ମେକ୍‌ ଇନ୍‌ ଇଣ୍ଡିଆ ଏବଂ ଜାତୀୟ ସୁରକ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଭାରତର ଏକ ମିତ୍ର ଦେଶ ଏହି ସମୟରେ ୩୦ ବର୍ଷ ପୁରୁଣା ଗୋଳାବାରୁଦ ସପ୍ଲାଏ କରିଥିଲା। ଏସବୁ ୭୦ ଦଶକରେ ନିର୍ମିତ ହୋଇଥିଲା। ସେହିପରି ଅନ୍ୟ ଏକ ଦେଶ ସାଟେଲାଇଟ୍‌ ଇମେଜିଂ ପାଇଁ ୩ ବର୍ଷ ପୁରୁଣା ସାଟେଲାଇଟ୍‌ ବିକ୍ରି କରିଥିଲା। ପ୍ରତି ଫ୍ରେମ୍‌ ପାଇଁ ସମ୍ପୃକ୍ତ ଦେଶ ୩୬ ହଜାର ଟଙ୍କା ଦାବି କରିଥିଲା। ତେବେ ଫ୍ରେମ୍‌ ସେନା ପାଖରେ ପହଞ୍ଚିଥିଲା। ମାତ୍ର ତାହା ୩ ବର୍ଷ ତଳର ଫଟୋ ଥିଲା ବୋଲି ଜଣାପଡ଼ିଥିଲା। ଏହା ବେକାର ଫ୍ରେମ୍‌ ଥିବା ଜାଣି ମଧ୍ୟ ଭାରତକୁ ଠକିବା ଲାଗି ବିକ୍ରି କରାଯାଇଥିବା ସେ କହିଛନ୍ତି। ସେ କୌଣସି ଦେଶର ନାମ ନ ନେଇ ଏହା ପ୍ରକାଶ କରିଛନ୍ତି। ଯୁଦ୍ଧ ପରେ ସେ ଭାରତୀୟ ସେନାର ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ସାମିଲ୍‌ କରିବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି।

Share