କାର୍‌ ସିିକ୍ରେଟ ଚାମ୍ବରରୁ ୧୫ ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ୱର, ୨୨।୯(ବ୍ୟୁରୋ) : କାର୍‌ରେ ସିକ୍ରେଟ ଚାମ୍ପର କରି ସେଥିରେ ଗଞ୍ଜେଇ ଚୋରା ଚାଲାଣ। ଏଭଳି ଦ୍ୱିତୀୟ ଘଟଣା ରାଜଧାନୀରୁ ଧରାପଡିଛି। ତମାଣ୍ଡୋ ଥାନା କଳିଙ୍ଗବିହାର ଭଗବାନପୁର ଅଞ୍ଚଳରେ ତମାଣ୍ଡୋ ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢାଉ କରି ୩ଟି ଦାମୀ କାରରୁ ୧୩୫ କେଜିର ଗଞ୍ଜେଇ ଜବତ କରିଛି। କନ୍ଧମାଳରୁ ବାହାର ରାଜ୍ୟକୁ ଯାଉଥିବା ଏହି ଗଞ୍ଜେଇର ମୂଲ୍ୟ ୧୫ଲକ୍ଷରୁ ଊର୍ଦ୍ଧ୍ୱ ହେବ। କାରର ପଛ ସିଟ୍‌ ଓ ଡିକି ମଝିରେ ସିକ୍ରେଟ ଚାମ୍ବର କରାଯାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଶିବଶିମ୍ଭୁ ଦିଗାଲ(୩୩), କୁନୁ ପ୍ରଧାନ(୨୫), ମଧ୍ୟମ ବେହେରା(୩୫), ଦୀପକ ବେହେରା(୩୪), ସଂଗ୍ରାମ ନାୟକ(୩୨) ଓ ପରିକ୍ଷିତ ସାହୁ(୩୬)। ଏମାନଙ୍କ ଘର କନ୍ଧମାଳ ଜିଲାରେ। ଏଥିସହ ସେମାନଙ୍କଠାରୁ ୩ କାର ସହ ୫୫ ହଜାର ଟଙ୍କା ଓ ୪ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ଏନେଇ ପୋଲିସ ଏନ୍‌ଡିପିଏସ୍‌ ଆକ୍ଟରେ ମାମଲା (ନଂ-୧୨୨/୨୦) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ପାରୋଲରେ ଆସି ଗଞ୍ଜେଇ ଚାଲାଣ କରୁଥିବା ପଚରାଉଚରାବେଳେ ପୋଲିସ ଜାଣିବାକୁ ପାଇଛି। ଏମାନେ ଅନ୍ୟ କେଉଁ ଅପରାଧରେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଖଣ୍ଡଗିରି ଅଞ୍ଚଳରୁ ରାଜସ୍ବ ଗୋଇନ୍ଦା ବିଭାଗ ଏକ ପରିବା ଟ୍ରକ୍‌ରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ସେହିପରି ଗତ ୧୧ ତାରିଖରେ ବାଲିପାଟଣା ପଦ୍ମପୁର ଅଞ୍ଚଳରୁ ଗୋଟିଏ ଦୋକାନ ଭିତରୁ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଓ ୧୮ ତାରିଖରେ ଖଣ୍ଡଗିରି ଥାନା ଭରତପୁର ଅଞ୍ଚଳରୁ ଏକ ବୋଲେରୋର ସିକ୍ରେଟ ଚାମ୍ବରରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଥିଲା।

Share